ରାଜ୍ୟରେ ଚାଲିଛି କଳାପାହାଡ ରାଜ୍, ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ ଶାସନ ବ୍ୟବସ୍ଥା: ଧର୍ମେନ୍ଦ୍ର ପ୍ରଧାନ
ଝାରସୁଗୁଡ଼ା: ଆଜି ହାଇଭୋଲଟେଜ୍ ପ୍ରଚାର । ଗୋଟେ ପଟେ ନବୀନ ଗୋଟେ ପଟେ ଧର୍ମେନ୍ଦ୍ର । ଆଜି ଝାରସୁଗୁଡା ଉପନିର୍ବାଚନ ପ୍ରଚାର ମୈଦାନରେ ଜୋରଜାର ମୁଲକତାର ।
ତେବେ ନିର୍ବାଚନୀ ସଭାରେ ଶାସକ ଦଳକୁ ଜୋରଦାର ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବ ହତ୍ୟା, ନାବାଳକ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସମ୍ବଲପୁର ହିଂସା ଭଳି ଘଟଣାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେବଳ ସେତିକି ନୁହେଁ, ସରକାରର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନଥିବା କହି ନବୀନଙ୍କୁ ବି ନିଶାନା କରିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେବା ଦିନଠାରୁ କେବେ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିନଥିବା ବେଳେ ରାଜ୍ୟରେ କିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ ରାଜ୍ୟର କିଏ ସେହି କଳାପାହାଡ ଯିଏ ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।
ଏଠାରେ 'କଳାପାହାଡ'ମାନେ ରାଜୁତି କରୁଛନ୍ତି। ଏଠାରେ ରାଜା ଖାଁଙ୍କୁ ବିଜେଡିର ନେତାମାନେ ସୁରକ୍ଷା ଦେଉଛନ୍ତି ବୋଲି ସେ କହିଛନ୍ତି। ସମ୍ବଲପୁର ପ୍ରସଙ୍ଗ ଉଠାଇ ସେ ପ୍ରଶ୍ନ କରିଛନ୍ତି, ସମ୍ବଲପୁରକୁ ପାକିସ୍ତାନ ହେବାକୁ ଦେବୁ କି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟମନ୍ତ୍ରୀଙ୍କୁ ଗାଦି ଛାଡ଼ିବାକୁ ଆହ୍ବାନ ଦେଇଛନ୍ତି ।
ସେହିପରି ଲାଇକେରା, କିର୍ମିରା, କୋଲାବିରା ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶକୁ ନେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ବିକାଶ ପାଇଁ କେତେ ଥର ଆଦିବାସୀ ପରାମର୍ଶଦାତା କମିଟିର ସଭାପତିତ୍ୱ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି, ଶିଳ୍ପ ସମୃଦ୍ଧ ଝାରସୁଗୁଡାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର କାରଣ ଜଣାନପଡିବା ଏବଂ ନାବଳକ ସମର୍ଥ ଅଗ୍ରଓ୍ୱାଲର ଅପହରଣ ଓ ହତ୍ୟା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନ ରଖିବା ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି । ଆଜି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତିମାନେ ଓଡ଼ିଶାର ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି । ଓଡ଼ିଶା ବିରୋଧୀ ଶକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କଥା କହୁଛନ୍ତି । କଳାପାହାଡିଆମାନେ ଓଡ଼ିଶାର ଯୁବକ, ସ୍ୱାର୍ଥ ଓ ସୁରକ୍ଷାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି ।












Click it and Unblock the Notifications