ଗୋଆ ବିଧାନସଭା ନିର୍ବାଚନ: ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଛାଡି ପାରନ୍ତି ଦଳ, କେଜରିୱାଲଙ୍କ ଠାରୁ ବି ମିଳିଲା ଅଫର
ପାଣାଜୀ: ଗୋଆରେ ପ୍ରତି ନିର୍ବାଚନରେ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢେଇ ସିଧା ସଳଖ ହୋଇଥାଏ। ଏହି ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରବେଶ କରିଛି ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ପାର୍ଟି । ସେଥିପାଇଁ ଏଥର ମୁକାବିଲା ଅଧିକ ଜଟିଳ ଏବଂ ଆକର୍ଷଣୀୟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ହିଁ ଆମ ଆଦମି ପାର୍ଟି ଗୋଆରେ ନିର୍ବାଚନ ଲଢିବାକୁ ଜଣାଇ ଥିଲା ।

ଏହିସବୁ ରାଜନୈତିକ ହଲଚଲ ମଧ୍ୟରେ ଆଉ ଏକ ବଡ ଖବର ଆସୁଛି, ଯାହା ନିର୍ବାଚନ ବାତାବରଣକୁ ଆହୁରି ଜଟିଳ କରିଦେଇଛି। ବିଜେପିର ଦିବଙ୍ଗତ ନେତା ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁତ୍ର ଉତ୍ପଳ ପାରିକର ଦଳ ପାଇଁ ଆଣିଛନ୍ତି ସମସ୍ଯା। ପ୍ରକୃତରେ ଉତ୍ପଳ ଚାହୁଁଥିଲେ ପାନାଜିରୁ ନିର୍ବାଚନ ଲଢିବା ପାଇଁ । ତେବେ, ବିଜେପି ପକ୍ଷରୁ ଉତ୍ପଳଙ୍କୁ ଏହି ସ୍ଥାନରୁ ଟିକେଟ ଦେବାକୁ ରାଜି ନୁହନ୍ତି । ଏଥିରେ ନାରାଜ ହୋଇ ଉତ୍ପଳ ସ୍ଵାଧୀନ ଭାବରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବାକୁ ଇଙ୍ଗିତ କରିଛନ୍ତି। ଏହା ବିଜେପି ହାଇକମାଣ୍ଡ ପାଇଁ ସୃଷ୍ଟି କରିଛି ନୂଆ ମୁଣ୍ଡବଥା । କାରଣ, ଗୋଆରେ ଅତ୍ୟନ୍ତ ସଫା ସୁତରା ଏବଂ ପ୍ରଭାବୀ ନେତା ଭାବରେ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ ସ୍ଵର୍ଗତ ମନୋହର ପାରିକର ।
ମନୋହର ପାରିକରଙ୍କ ପୁତ୍ରଙ୍କୁ କେଜରୀୱ୍ୱାଲ ଦେଇଛନ୍ତି ଅଫର
ଉତ୍ପଳ ପାରିକରଙ୍କ ଆଭିମୁଖ୍ଯକୁ ନେଇ ବିଜେପି ସଙ୍କଟରେ ପଡିଥିବା ବେଳେ ଏହି ଗୋଳିଆ ପାଣିରୁ ମାଛ ଧରିବାକୁ ଚେଷ୍ଟା କରୁଛି ଆମ ଆଦମି ପାର୍ଟି । ମନୋହର ପାରିକରଙ୍କ ପୁତ୍ରଙ୍କୁ କେଜରୀୱ୍ୱାଲ ଦଳୀୟ ଟିକେଟ ପ୍ରଦାନ କରିବାକୁ ଅଫର ଦେଇଛନ୍ତି । ଆପ ମୁଖ୍ୟ କେଜରିୱ୍ୱାଲ କହିଛନ୍ତି ଯେ, ସ୍ଵର୍ଗତ ମନୋହର ପାରିକରଙ୍କୁ ମୁ ବହୁତ ସମ୍ମାନ କରେ, ସେଥିପାଇଁ ଉତ୍ପଳଙ୍କ ପାଇଁ ଦଳ ପକ୍ଷରୁ ସ୍ଵାଗତ କରାଯିବ ଯଦି ସେ ଆପରେ ଯୋଗ ଦେବାକୁ ଚାହିଁବେ ।












Click it and Unblock the Notifications