କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ
ଆସନ୍ତାକାଲି କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ସୂଚନା ରହିଛି ।

ଭୁବନେଶ୍ବର: ଆସନ୍ତାକାଲି କଂଗ୍ରେସରେ ଯୋଗ ଦେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟ କାର୍ଯ୍ୟାଳୟରେ ସେ କଂଗ୍ରେସ ଦଳରେ ଯୋଗ ଦେବେ ବୋଲି ସୂଚନା ରହିଛି । ତାଙ୍କ ନେତୃତ୍ୱରେ କିଛି ଯୁବ ନେତା ମଧ୍ୟ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପିସିସି ସଭାପତିଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେଙ୍କ ଉପସ୍ଥିତିରେ ସେ କଂଗ୍ରେସ ଦଳରେ ଯୋଗ ଦେବେ।
୨୦୨୨ ରେ ଭୁବନେଶ୍ୱର ବିମାନବନ୍ଦର ଲବିରେ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସହ ବିଜୟ ପଟ୍ଟନାୟକଙ୍କୁ ଦେଖାଯିବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ଥିବା ବିଜୟ ପଟ୍ଟନାୟକ ୨୦୧୩ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲା ପରେ ତୁରନ୍ତ ତାଙ୍କୁ ଷ୍ଟାଫ୍ ସିଲେକ୍ସନ୍ କମିସନ୍ର ଅଧ୍ୟକ୍ଷ କରାଗଲା ।
ପରେ ପରେ ତାଙ୍କୁ ମାନବାଧିକାର କମିସନ୍ଙ୍କ ସଦସ୍ୟ ଭାବେ ନିଯୁକ୍ତି ଦିଆଗଲା । ସେ ୨୦୧୫ ଏପ୍ରିଲ୍ରେ ସେଠାରୁ ଇସ୍ତଫା ଦେଇଥିଲେ । ପରେ ୨୦୧୫ ଏପ୍ରିଲରେ ସେ ବେଦାନ୍ତ ୟୁନିଭର୍ସିଟି ପ୍ରୋଜେକ୍ଟର ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ୨ ବର୍ଷ ଧରି କାମ କରିବା ପରେ ବିଜୟ ବେଦାନ୍ତ ୟୁନିଭର୍ସିଟି ପ୍ରକଳ୍ପର ଅଧ୍ୟକ୍ଷ ପଦରୁ ୨୦୧୭ ମସିହାରେ ଇସ୍ତଫା ଦେଇଥିଲେ।
ତେବେ ୨୦୨୨ ମସିହା ମେ' ମାସରେ ସେ କଂଗ୍ରେସରେ ଯୋଗ ଦେଉଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି ସେ ଏନେଇ ରାଜ୍ୟ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା କରିଥିବା କୁହାଯାଉଥିଲା । ହେଲେ ସେତେବେଳେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦାନ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ରାଜନୀତିରେ ଆଗ୍ରହ ନଥିବା ଗଣମାଧ୍ୟମକୁ କହିଥିଲେ। ତେବେ ଆଜି କଂଗ୍ରେସ ନେତା ଅମୀୟଙ୍କ ସୂଚନା ପରେ ଏହି ଜାତୀୟ ଦଳରେ ଯୋଗଦାନକୁ ନେଇ ଚର୍ଚ୍ଚା ପୁଣି ଜୋର ଧରିଛି ।












Click it and Unblock the Notifications