ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କ ଘରୁ ଇଭିଏମ ଜବତ, ସେକ୍ଟର ଅଧିକାରୀ ନିଲମ୍ବିତ
ତୃଣମୂଳ କଂଗ୍ରେସ (ଟିଏମସି)ର ନେତାଙ୍କ ଘରୁ ମିଳିଛି ଗୋଟିଏ ଇଭିଏମ ମେସିନ ଓ ଚାରିଟି ଭଭିପାଟ ମେସିନ୍
ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟିଂ ଚାଲିଛି । 31ଟି ଆସନ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେଉଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି)ର ନେତାଙ୍କ ଘରୁ ମିଳିଛି ଗୋଟିଏ ଇଭିଏମ ମେସିନ ଓ ଚାରିଟି ଭଭିପାଟ ମେସିନ୍ । ଟିଏମସିର ନେତା ଗୌତମ ଘୋଷଙ୍କ ବାସଭବନରୁ ଏହି ମେସିନ୍ ମିଳିଥିବା ଅଭିଯୋଗ କରିଛି ବିଜେପି । ଏଥିସହିତ ଗୌତମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ନିର୍ବାଚନ ପ୍ରକ୍ରିୟାରେ ଟିଏମସିର ହସ୍ତକ୍ଷେପକୁ ଦୃଢ ନିନ୍ଦା କରିଛନ୍ତି ଉତ୍ତର ଉଲୁବେରିଆର ବିଜେପି ପ୍ରାର୍ଥୀ ଚିରାନ ବେରା । ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି ।

ସେପଟେ ନିର୍ବାଚନ ଆୟୋଗ ସେକ୍ଟର ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଇସି କହିଛନ୍ତି, "ସେକ୍ଟର ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଏହା ଏକ ସଂରକ୍ଷିତ ଇଭିଏମ୍ ଥିଲା ଯାହା ନିର୍ବାଚନ ପ୍ରକ୍ରିୟାରୁ ହଟାଇ ଦିଆଯାଇଛି । ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ଏଠାରେ ସୂଚନାଥାଇକି,ଉତ୍ତର ଉଲୁବେରିଆ ହେଉଛି ହାୱାରା ଜିଲ୍ଲାର ଏକ ବିଧାନସଭା ନିର୍ବାଚନମଣ୍ଡଳୀ । ଏହି ଆସନଟି ଏସସି ପାଇଁ ସଂରକ୍ଷିତ ।












Click it and Unblock the Notifications