ବଦଳିବ ନିମାପଡ଼ା ସମୀକରଣ? ଖେଳ ବିଗାଡ଼ିବେ ସମୀର!
Elections2024: ସାରା ରାଜ୍ୟରେ ନିର୍ବାଚନୀ ମାହୋଲ ଥିବାବେଳେ ପୁରୀ ଜିଲ୍ଲା ନିମାପଡ଼ା ଆସନରେ ଦେଖିବାକୁ ମିଳିୁଛି ରୋଚକ ସ୍ଥିତି । ବିଜେଡ଼ିର ସୁରକ୍ଷିତ ଗଡ଼ ପାଲଟିଥିବା ନିମାପଡ଼ାରେ ଏବେ ରାଜନୀତି ପାଣି ଗୋଳିଆ ହୋଇଛି । ଏବେ ଏହି ଗୋଳିଆ ପାଣି କାହାକୁ ସୁହାଇବ ତାହା ଉପରେ ରହିଛି ନଜର ।
ଚଳିତ ନିର୍ବାଚନରେ ବିଜେଡ଼ିରୁ 3 ଥ ବିଧାୟକ ହୋଇଥିବା ସମୀର ଦାସଙ୍କୁ ଦଳ ଆଉ ଟିକେଟ୍ ଦେଇନି । ଏହା ପରେ ଦେଖିବାକୁ ମିଳିଛି ଅସଲ ଲଢେଇ । କିଛି ଦିନ ସମାବେଶ ଓ ରାଲି କରି ଶକ୍ତି ପ୍ରଦର୍ଶନ କରିବା ସହ ପୁନଃବିଚାର ପାଇଁ ଦଳକୁ ଆହ୍ୱାନ ଦେଇଥିଲେ ସମୀର । କିନ୍ତୁ ଶେଷରେ ଦଳ ତାଙ୍କୁ ନିରାଶ କରିଛି । ଏହା ପରେ ପଦ୍ମ ପୋଖରୀରେ ପାଦ ଥାପିଛନ୍ତି ବିଜେଡ଼ିର ପୂର୍ବତନ ବିଧାୟକ ସମୀର ଦାସ ।

ବର୍ତ୍ତମାନ ସମୀର ବିଜେଡି ଛାଡିବା ପରେ ଦଳର ଅଙ୍କ ବିଗିଡିବା ଚର୍ଚ୍ଚା ହେଉଥିବା ବେଳେ ବିଜେପିର ମନୋବଳ ଦୃଢ଼ ହୋଇଛି । ଏହି ଆସନରେ ଜୁନ 1ରେ ହେବ ମତଦାନ । ଏହା ପୂର୍ବରୁ ଦଳମାନେ ପ୍ରଚାରକୁ ଜୋରଦାର କରିଛନ୍ତି । ମତଦାନ ତାରିଖ ଯେତିକି ପାଖେଇ ଆସୁଛି ନିମାପଡାରେ ରାଜନୀତି ପାଣିପାଗ ସେତିକି ରୋଚକମୋଡ଼ ନେଉଛି ।
ସମୀରଙ୍କୁ ବିଜେଡ଼ି ଟିକେଟ୍ ନ ମିଳିବା ପରେ ମଧ୍ୟ ତାଙ୍କୁ ମ୍ୟାନେଜ୍ କରି ରଖିବା ପାଇଁ ଅନେକ ଉଦ୍ୟମ କରିଥିଲା ବିଜେଡି । ଏମିତିକି ତାଙ୍କୁ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦେଇ ଦଳରେ ଥଇଥାନ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା । କିନ୍ତୁ ବିଜେଜିର ଏହି ଉଦ୍ୟମ ବିଫଳ ହୋଇଛି । ସମୀର ବିଜେଡି ଛାଡିବା ବିଜେପିର ଶକ୍ତି ବୃଦ୍ଧି କରିଛନ୍ତି ।
କୁହାଯାଉଛି, ବିଜେପିରେ ସମୀରଙ୍କ ସାମିଲ ହେବା ଦଳର ବିଜୟ ପାଇଁ ଆହୁରି ବଳ ଯୋଗାଇବ । ସମୀର ବିଜେପିରେ ମିଶିବା ପରେ ବିଜେଡିର କିଛି ଭୋଟ କଟି ବିଜେପି ଖାତାକୁ ଯାଇପାରେ । ନିମାପଡ଼ାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ସମୀର ଦାସ ନିର୍ଣ୍ଣାୟକ ଭୂମିକା ନେଇ ପାରନ୍ତି ।
ପୁରୀ ଜିଲ୍ଲାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଥିଲେ ମଧ୍ୟ ଏହା ଜଗତସିଂହପୁର ଲୋକସଭା କ୍ଷେତ୍ର ଅଧିନରେ ରହିଛି । ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି 46 ଟି ପଞ୍ଚାୟତ ସହିତ ନିମାପଡା ଏନ.ଏ.ସି । ସେଥି ମଧ୍ୟରୁ ନିମାପଡା ବ୍ଲକର 32ଟି ପଞ୍ଚାୟତ ସହିତ ନିମାପଡା ଏନ.ଏ.ସି ଏବଂ ଗୋପ ବ୍ଲକ 14ଟି ପଞ୍ଚାୟତ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 19 ହଜାର 586 ଜଣ ଭୋଟର ମତଦାନ କରିବେ । ତେଣୁ ଜଗତସିଂହପୁର ଲୋକସଭା ଆସନ ଉପରେ ଏହି ଆସନର ବେଶ୍ ପ୍ରଭାବ ରହିଛି ।
ବିଜେଡ଼ିର ଖେଳ ବିଗାଡ଼ିବେ ସମୀର
ଚଳିତ ନିର୍ବାଚନରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ପ୍ରଭାତୀ ପରିଡ଼ା । ବିଜେପିରୁ ତୃତୀୟ ଥର ପାଇଁ ଟିକେଟ ପାଇଛନ୍ତି ପ୍ରଭାତୀ । ନିର୍ବାଚନ ପୂର୍ବରୁ ବିଜେଡି ବିଧାୟକ ସମୀର ଦାଶ ବିଜେପିରେ ସାମିଲ ହେବାପରେ ବିଜେପି ନିମାପଡାରେ ଆହୁରି ପାୱାରଫୁଲ ହୋଇଯାଇଛି ।
ସେପଟେ ବିଜେପି ଛାଡ଼ି ବିଜେଡି ଦଳରେ ମିଶିବାର ମାତ୍ର 15 ଦିନ ପରେ ଦଳ ଦିଲ୍ଲୀପ ନାୟକଙ୍କ ଉପରେ ଭରସା କରି ଟିକଟ ଦେଇଛି । ଦିଲ୍ଲୀପ ପ୍ରଥମେ ନବ ନିର୍ମାଣ ସଂଗଠନ ପରେ କଂଗ୍ରେସ, ବିଜେପି ପରେ ଏବେ ଶଙ୍ଖ ଶିବିରରେ ପ୍ରବେଶ କରିଛନ୍ତି । ଶଙ୍ଖ ଧରୁ ଧରୁ ବିଜେଡି ସମୀରଙ୍କ ଉପରୁ ଭରସା ତୁଟାଇ ଦିଲ୍ଲୀପଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।
ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିମାପଡାରେ ପାଣିପାଗ ରୋଚକ ମୋଡ ନେଉଛି । ବିଜେଡି ପ୍ରାର୍ଥୀ ଦିଲ୍ଲୀପଙ୍କୁ ହରାଇବା ପାଇଁ ସମୀରଙ୍କ ସମର୍ଥକମାନେ ଦୃଢ଼ ସଂକଳ୍ପ ନେଇ ବିଜେପି ପ୍ରାର୍ଥୀନୀ ପ୍ରଭାତୀଙ୍କ ବିଜୟୀ କରିବା ପାଇଁ ଲାଗିପଡ଼ିଛନ୍ତି । ସମୀର ବିଜେପିରେ ସାମିଲ ପରେ ବିଜେପିକୁ କେତେ ଫାଇଦା ମିଳୁଛି ଏବଂ ଲଢେଇରେ କିଏ ବାଜି ମାରୁଛି, ତାହା ଦେଖିବା ବାକି ରହିଲା ।












Click it and Unblock the Notifications