Elections 2024: ତୃତୀୟ ପର୍ଯ୍ୟାୟ ସୁଦ୍ଧା କାହାର କେତେ ? କଣ କହୁଛନ୍ତି ରାଜନୈତିକ ଦଳ...
Elections 2024: ରାଜ୍ୟରେ ଚାଲିଛି ନିର୍ବାଚନ । ମୋଟ୍ 4 ଟି ପର୍ଯ୍ୟାୟରୁ ତିନୋଟି ପର୍ଯ୍ୟାୟର ମତଦାନ ସରିଛି । ଆସନ୍ତା ଜୁନ୍ 1 ତାରିଖରେ ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଚତୁର୍ଥ ପର୍ଯ୍ୟାୟରେ 6ଟି ଲୋକସଭା ଆସନ ଏବଂ 42ଟି ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍ । ବର୍ତ୍ତମାନ ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ସୁଦ୍ଧା କେଉଁ ଦଳର ଅଙ୍କ କଣ ରହିଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ତୃତୀୟ ପର୍ଯ୍ୟାୟ ମତଦାନ ସୁଦ୍ଧା 15 ଲୋକସଭା ଓ 105 ବିଧାନସଭା ଆସନ ପାଇଁ ମତଦାନ ସରିଛି । ଇଭିଏମ୍ ରେ ସିଲ୍ ହୋଇ ସାରିଛି ଅନେକ ନେତା ଓ ହେଭିୱେଟ୍ ଙ୍କ ଭାଗ୍ୟ । ଏହା ପରେ ବର୍ତ୍ତମାନ ଚାଲିଛି ଅଙ୍କ କଷା । କେଉଁ ଆସନରେ କାହା ପକ୍ଷରେ ଜନ ସମର୍ଥ ରହିଛି, କାହା ହାତରୁ କେଉଁ ଆସନ ଖସୁଛି ସେ ନେଇ ଚାଲିଛି ହିସାବକିତାବ ।
ଏହା ସହ ରାଜ୍ୟର ତିନି ପର୍ଯ୍ୟାୟ ମତଦାନକୁ ନେଇ ନିଜ ନିଜ ମଧ୍ୟରେ ଦୃଢୋକ୍ତି ପ୍ରକାଶ କରୁଛନ୍ତି ରାଜନୈତିକ ଦଳ । କିଏ କେତେ ଆସନ ହାତେଇଲାଣି ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ବୟାନବାଜି । ବିଜେଡି ଓ ବିଜେପି ସରକାର ଗଢିବେ ବୋଲି ଦାବି କରୁଛନ୍ତି । ଏହାରି ଭିତରେ ଉଭୟ ବିଜେଡି ଓ ବିଜେପି କେତେ ଲେଖାଏଁ ଆସନ ଜିତିବେ ବୋଲି ଦାବି କରିଛନ୍ତି ।
ବିଜେଡି ତୃତୀୟ ପର୍ଯ୍ୟାୟ ସୁଦ୍ଧା ସଂଖ୍ୟାଗରିଷ୍ଠତା ହାସଲ କରି ସାରିଛି । ଦଳ 80 ରୁ 85 ପ୍ରତିଶତ ଆସନରେ ବିଜୟୀ ହେଉଛି ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଆମେ ସଂଖ୍ୟାଗରିଷ୍ଠତା ହାସଲ କରିସାରିଛୁ ବୋଲି କହିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍ । ରାଜ୍ୟରେ 4 ରାଉଣ୍ଡ ମତଦାନ ସରିବା ପରେ ବିଜେଡି ଅଧିକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ସେହିପରି ରାଜ୍ୟ ବିଜେପିର ପୂର୍ବତନ ସଭାପତି କେ ଭି ସିଂହ ଦେଓ କହିଛନ୍ତି, ରାଜ୍ୟରେ ଦଳ ଦୁଇ ତୃତୀୟାଂଶ ଆସନ ହାତେଇବାକୁ ଯାଉଛି। ଦଳ ଭଲ ପ୍ରଦର୍ଶନ କରୁଛି । ଜୁନ 4ରେ ବିଜେପି ରାଜ୍ୟରେ ସରକାର ଗଢ଼ିବ ଦଳ।
ତେବେ କଂଗ୍ରେସର ପ୍ରତିକ୍ରିୟା ଏହାକୁ ନେଇ ମିଲିପାରି ନାହିଁ। କିନ୍ତୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦାବି କରୁଛି। ଜଟଣୀର ବିଧାୟକ ତଥା ପୂର୍ବତନ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ରାଉତରାୟ କହିଛନ୍ତି, 90 ରୁ95 ଆସନ ବିଜେଡି ଜିତିବ। ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ। ସେ 9 ତାରିଖରେ ଶପଥ ଗ୍ରହଣ କରିବେ। ଓଡ଼ିଶାରେ ବିଜେଡି ଏକ ନମ୍ବର, ବିଜେପି ଦ୍ୱିତୀୟ, କଂଗ୍ରେସ ତୃତୀୟ ସ୍ଥାନରେ ରହିବ ବୋଲି ସୁର ରାଉତରାୟ କହିଛନ୍ତି।












Click it and Unblock the Notifications