Elections 2024: ଅଙ୍କ ବିଗାଡ଼ିବେ ସ୍ୱାଧୀନ ପ୍ରାର୍ଥୀ ! ଦଳଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ...
Elections 2024: ଚଳିତ 2024 ନିର୍ବାଚନ ରାଜ୍ୟରେ ଦିନକୁ ଦିନ ରୋଚକ ମୋଡ଼ ନେଉଛି । ମତଦାନ ଦିନ ଯେତେ ପାଖଉଛି, ରାଜନୈତିକ ମହଲରେ ସେତେ ଚର୍ଚ୍ଚା ବଢୁଛି । ଏରିକି କେତେକ ଆସନରେ ସ୍ୱାଧୀନ ପ୍ରାର୍ଥୀଙ୍କ ଉଭା ଏହି ଚର୍ଚ୍ଚାରେ ଘିଅ ଢାଳୁଛି । ଦଳ ଟିକେଟ୍ ନ ଦେବା ପରେ ନିରାଶ ହୋଇଛନ୍ତି ଅନେକ ନେତା । ଫଳରେ ସ୍ୱାଧୀନ ରାସ୍ତା ଆପଣେଇଛନ୍ତି ।
ତେବେ ସ୍ୱଧୀନ ପ୍ରାର୍ଥୀ କେବଳ ଭୋଟ୍ ଭାଗ କରିବେ ନା ସମ୍ପୂର୍ଣ୍ଣ ବାଜି ପଲଟେଇଦେବେ ତା ଉପରେ ବି ରହୁଛି ସମସ୍ତଙ୍କ ନଜର । ଏମିତିକି କେତେକ ଆସନରେ ଅଙ୍କ ବିଗିଡ଼ିବା ନେଇ ଆକଳନ କରାଯାଉଛି । ଏମିତିକି ଦଳୀୟ ପ୍ରାର୍ଥୀ ହାରିଯିବାର ଭୟ ମଧ୍ୟ ଘାରିଛି ।
ଏମିତି କିଛି ଆସନ ଉପରେ ଆସନ୍ତୁ ଆଲୋଚନା କରିବା, ଯେଉଁଠି ସ୍ୱାଧୀନ ପ୍ରାର୍ଥୀଙ୍କୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି ।

ବରୀରୁ ଦେବାଶିଷଙ୍କ ସ୍ୱାଧୀନ ଥୋପ
ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତଥାପି ବିଜେପି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ନିରା୍ଶ କରିଛି । ଟିକେଟ୍ ଦେଲାନି ବିଜେପି । ସେ ଟିକେଟ୍ ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ, ତାଙ୍କ ବଦଳରେ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଉମେଶ ଚନ୍ଦ୍ର ଜେନାଙ୍କୁ ଟିକେଟ ଦେଇଛି । ଏହା ପରେ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ସିଧାସଳଖ କହିଛନ୍ତି ଦେବାଶିଷ ନାୟକ । ବରୀବାସୀଙ୍କ ସେବା କରିବାକୁ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି । ସେ ବିଜେଡି ଟିକେଟରୁ 4 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ତାଙ୍କର ନିଜର କିଛି ପକେଟ୍ ଭୋଟ୍ ରହିଛି । ଏହି ଭୋଟ୍ ରାଜନୈତିକ ଦଳମାନଙ୍କୁ ଅକଳରେ ପକାଇପାରେ ବୋଲି ଚର୍ଚ୍ଚା ହେଉଛି ।
ନନା ବନାମ ଖାରବେଳ
ବାଲେଶ୍ୱର ଲୋକସଭା ଆସନରୁ ଲଢିବା ନେଇ ବେଶ୍ ଆଶାୟୀ ଥିଲେ ବିଜେପି ନେତା ଖାରବେଳ ସ୍ୱାଇଁ । କିନ୍ତୁ ଦଳ ସାସଂଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ରିପିଟ୍ କରିଛି । ଏହା ପରେ ସ୍ୱାଧୀନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି ଖାରବେଳ । ସେ ଗତଥର କନ୍ଧମାଳରୁ ପ୍ରାର୍ଥୀ ହୋଇ ହାରିଥିଲେ । ଏଥର ବାଲେଶ୍ୱର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ସେ ଦାବି କରିଥିଲେ । ହେଲେ ଦଳ ନିଷ୍ପତ୍ତି ନବଦଳାଇବାରୁ ସେ ଶେଷରେ ସ୍ୱାଧୀନ ଲଢିବାକୁ କହିଛନ୍ତି । ବାଲେଶ୍ୱରରୁ 3 ଥର ସାଂସଦ ହୋଇଥିବା ଖାରବେଳ ପ୍ରତାପ ଷଡଙ୍ଗୀଙ୍କ ଭୋଟ୍ ଭାଗ କରିପାରନ୍ତି ବୋଲି ମଧ୍ୟ ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।
ଖୋର୍ଦ୍ଧାରେ ବିଗ୍ ଫାଇଟ୍ ଦେବେ କାଳୁ !
ଖୋର୍ଦ୍ଧାରେ ବେଶ୍ ଦବଜବା ରଖୁଥିବା ତଥା ସଙ୍ଗଠନ କରିଥିବା କାଳୁ ଖଣ୍ଡାୟତ ଏଥର ବିଜେପି ପାଇଁ କଣ୍ଟା ହୋଇପାରନ୍ତି । ଏତେ ଦିନ ଧରି ଦଳ ପାଇଁ କାମ କରିବା ସହ ନିଜ ସଙ୍ଗଠନକୁ ମଜଭୁତ କରିଥିବା କାଳୁଙ୍କୁ ଟିକେଟ୍ ନ ଦେଇ ବିଜେପି ଆମଦାନୀ ନେତା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ଦେଇଛି । ଏହା ପରେ ଅସନ୍ତୁଷ୍ଟ କାଳୁ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ନଷ୍ପତ୍ତି ନେଇଛନ୍ତି । ଏମିତିକତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସିଧା ସଳଖ ଟାର୍ଗେଟ୍ କରିବା ସହ ତାଙ୍କୁ ହରାଇବାକୁ ପ୍ରଚାର କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଗତଥର 74 ହଜାରରୁ ଅଧିକ ଭୋଟ୍ ପାଇଥିବା କାଳୁ ଖଣ୍ଡାୟତରାୟ ଏଥର ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାସ୍ତାର କଣ୍ଟା ହୋଇପାରନ୍ତି । ଏପରିକି ଲୋକସଭା ଆସନର କିଛି ଭୋଟ୍ ସେ କାଟି ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ସମୀକଣ ବିଗାଡ଼ିବେ ସମୀର !
ନିମାପଡାରୁ ବିଜେଡ଼ି ବିଧାୟକ ଥିବା ସମୀର ଦାସଙ୍କ ଟିକେଟ୍ କାଟିଛି ଦଳ । ତାଙ୍କ ଟିକେଟ୍ କାଟି ଦିଲ୍ଲୀପ ନାୟକଙ୍କୁ ଦିଆଯାଇଛି । ଏହା ପରେ ସମୀର ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏପରିକି ଦିଲ୍ଲୀରଙ୍କୁ ଟିକେଟ୍ ମିଳିବା ପରେ ସମୀର ସମାବେଶ କରି ନିଦଜର ଶକ୍ତି ପ୍ରଦର୍ଶନ କରିଥିଲେ । ଏପରିକି ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମଧ୍ୟ ସମୀର ଦାବି କରିଆସୁଛନ୍ତି । ତେବେ ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିସାରିଛନ୍ତି । ଦେବଗଡରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଥିବା ବେଳେ ନିରାଶ ହୋଇଛନ୍ତି ସମୀର । ଟିକେଟ୍ ପରିବର୍ତ୍ତନ ନହେଲେ ସମୀର ସ୍ୱାଧାନ ଭାବେ ଲଢିପାରନ୍ତି ବୋଲି କୁହାଯାଉଛି ।
ଖଣ୍ଡପଡାକୁ ଅନୁଭବ କାଳ !
ବହୁ ଚର୍ଚ୍ଚିତ ଖଣ୍ଡପଡ଼ା ଆସନକୁ ନେଇ ଲାଗି ରହିଥିଲା ସସପେନ୍ସ । ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଶାସକ ଦଳ ଏଠାରେ ପ୍ରାର୍ଥୀ ଘୋଷଣାକୁ ଅଟକାଇ ରଖିଥିଲା । କିନ୍ତୁ ଟିକେଟ୍ ଘୋଷଣା ହେବା ପରେ ଆରମ୍ଭ ହୋଇଛି ଅସଲ ଖେଳ । ଖଣ୍ଡପଡ଼ାରୁ 2019ରେ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକଙ୍କୁ ଦଳଳ ବହିଷ୍କାର କରିବା ପରେ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟିକେଟ୍ ପାଇବା ନେଇ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ମଧ୍ୟ ନିରାଶ କରିଛି । ଦଳ ସାବିତ୍ରୀ ପ୍ରଧାନଙ୍କୁ ଟିକେଟ୍ ଦେବା ପରେ ବିଜେଡି ଛାଡ଼ିଛନ୍ତି ଅନୁଭବ । ଏହା ସହ ଅନ୍ୟତନ ଆଶାୟୀ ଗୟାଧର ପରିଡା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରୁ ବିଦା ହେବା ପରେ ଉଭୟ ଏଥର ଟିକେଟ୍ ପାଇଁ ଆଶାୟୀ ଥିଲେ । ତେବେ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା ପରେ ସେମାନେ ଦଳ ଛାଡିଛନ୍ତି । ଅନୁଭବ ପଟ୍ଟନାୟକ ସ୍ବାଧୀନ ଭାବେ ନିର୍ବାଚନ ଲଢିବାକୁ ନାମାଙ୍କନ ଭରିଛନ୍ତି । ଏବେ ସାବିତ୍ରୀଙ୍କୁ ଅଡୁଆରେ ପକାଇପାରେ ଭୋଟ୍ ବିଭାଜନ ।
ତେଲକୋଇ ଅଙ୍କ ବିଗାଡ଼ିବେ ପ୍ରେମାନନ୍ଦ !
ଦଳରେ ଅଣଦେଖା ଅଭିଯୋଗ କରି ପ୍ରଥମେ ବିଜେଡି ଛାଡିଥିଲେ । ବିଜେପିରେ ମିଶିବା ପରେ ବି ତାଙ୍କୁ ମିଳିଲାନି ଟିକେଟ୍ । ଏହା ପରେ ତେଲକୋଇରୁ ସ୍ୱାଧୀନ ଭାବେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରେମାନନ୍ଦ ନାୟକ । ବିଜେପି ତାଙ୍କ ଜାଗାରେ ଫକୀର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ତ ବିଜେଡିରୁ ଟିକେଟ୍ ପାଇଛନ୍ତି ମାଧବ ସର୍ଦ୍ଦାର । ପ୍ରେମାନନ୍ଦ ସ୍ବାଧୀନ ଭାବେ ନିର୍ବାଚନ ଲଢିଲେ ଉଭୟ ବିଜେଡି ଓ ବିଜେପିର ଭୋଟ୍ କିଛି ଅଂଶ କମିପାରେ ବୋଲି ଆକଳନ କରାଯାଉଛି ।
ସୌମ୍ୟଙ୍କ ବଦଳାଇବେ ଘସିପୁରା ସମୀକରଣ !
ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ଘସିପୁରାରୁ ଲଢିବେ । ବିଜେପି ଟିକେଟରୁ ସୌମ୍ୟ ଲଢିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କିନ୍ତୁ ଗୁରୁବାର ଦିନ ଦଳ ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି । ଏହା ପରେ ସୌମ୍ୟ ବିଜେପିରୁ ଲଢିବା ଚର୍ଚ୍ଚାର ଅବସାନ ମଧ୍ୟ ଘଟିଛି । ଏହା ପରେ ସେ ସ୍ୱାଧୀନ ପ୍ରାର୍ଥୀ ହୋଇ ଲଢିବା ନେଇ ନିଜେ ସ୍ପଷ୍ଟ କରିଛନ୍ତି । ସୌମ୍ୟଙ୍କ ଭାଇ ନିରଞ୍ଜନ ପଟ୍ଟନାୟକ ପୂର୍ବରୁ ଏହି ଆସନରୁ ଲଢୁଥିବା ବେଳେ ଏଥର କଂଗ୍ରେସ ତାଙ୍କୁ ଘଷିପୁରା ଆସନ ଦେଇନାହିଁ । ବର୍ତ୍ତମାନ ସୌମ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଲେ ତାଙ୍କର କିଛି ଭୋଟ୍ ସୌମ୍ୟଙ୍କ ଭାଗରେ ପଡ଼ିପରେ ବୋଲି ମଧ୍ୟ ଆକଳନ କରାଯାଉଛି । ଫଳରେ ଘଷିପୁରା ସମୀକରଣ ଏପଟ ସେପଟ ହୋଇପାରେ ।
ଆନନ୍ଦପୁରରେ ବି ସ୍ୱାଧୀନ ବିଦ୍ରୋହ!
ବିଜେଡ଼ି ଦଖଲରେ ଥିବା ଆନନ୍ଦପୁର ଆସନରେ ବି ଦେଖିବାକୁ ମିଳୁଛି ସ୍ୱାଧୀନ ବିଦ୍ରୋହ । ଏହି ଆସନରୁ ବିଧାୟକ ଭାଗିରଥୀ ସେଠୀଙ୍କ ଟିକେଟ୍ କଟିବା ପରେ ସେ ଦଳ ଛାଡ଼ିଛନ୍ତି । ଏପରିକି ଅନ୍ୟ ଆଶାୟୀ ବିଶ୍ୱପ୍ରତାପ ଜେନା ମଧ୍ୟ ସ୍ୱାଧୀନ ଭାବେ ଲଢିବାକୁ ନାମାଙ୍କନ ଭରିଛନ୍ତି । ବିଶ୍ୱ ରାଜନୀତିରେ ନୂଆ ହୋଇଥିବା ବେଳେ ଭାଗିରଥୀଙ୍କର କିଛି ପକେଟ୍ ଭୋଟ୍ ରହିଛି । ଏହି ଭୋଟ୍ ଆନନ୍ଦପୁର ଅଙ୍କ ବିଗାଡ଼ି ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ହୁଏ, ତେବେ ବିଜେଡ଼ି ଭୋଟ୍ ବାଣ୍ଟ ହେବା ସହ ବିଜେପି ଓ କଂଗ୍ରେସ ଫାଇଦା ନେଇପାରନ୍ତି ବୋଲି ଆକଳନ କରାଯାଉଛି ।
ସେହିପରି ଭୁବନେଶ୍ୱର ଏକାମ୍ରରୁ ବିଜେଡିର ଅଶୋକ ପଣ୍ଡାଙ୍କୁ ବିରୋଧ କରି ବିରଞ୍ଚି ନାରାୟଣ ମହାସୁପକାର ହୁଅନ୍ତୁ କି ଜୟଦେବରେ ବିଜେପି ପ୍ରାର୍ଥୀ ଅରବିନ୍ଦ ଢାଲିଙ୍କ ବିରୋଧରେ ସତ୍ୟପ୍ରିୟ ବେହେରା, ସ୍ୱାଧୀନ ପ୍ରାର୍ଥୀ ଭାବେ ଓହ୍ଲାଇ ଗୋଳମାଳ କରିପାରନ୍ତି ରାଜନୈତିକ ଗଣିତ । ରାଜ୍ୟ ବିଭିନ୍ନ ଅଞ୍ଚଳରେ ଏବେ ଦଳଙ୍କ ମୁଣ୍ଡବିନ୍ଧା ପାଲଟିଛନ୍ତି ସ୍ବାଧୀନ ପ୍ରାର୍ଥୀ ।












Click it and Unblock the Notifications