Election 2024: ସ୍ୱାମୀଙ୍କ ଗଡ଼ରେ ସନ୍ଧ୍ୟାରାଣୀ, ବିଜେପିକୁ ମାତ୍ ଦେବ ବବି କ୍ରେଜ୍!
Election 2024: ଚତୁର୍ଥ ପର୍ଯ୍ୟାୟରେ ମତଦାନକୁ ଯିବ ଯାଜପୁର ଲୋକସଭା ଆସନ । ଏହା ଅଧୀନରେ ରହିଛି କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀ । ଜିଲ୍ଲାର ସମସ୍ତ ଆସନ ଅପେକ୍ଷା ଏହି ଆସନ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏଠାରେ ବିଜେଡ଼ି ପ୍ରାର୍ଥିନୀ ସନ୍ଧ୍ୟାରାଣ ଦାସଙ୍କୁ ନେଇ ଲାଗି ରହିଛି ଚର୍ଚ୍ଚା ।
ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ପ୍ରାର୍ଥୀ ହୋଇଛନ୍ତି । ଅନେକ ସସପେନ୍ସ ପରେ ଶେଷରେ ସନ୍ଧ୍ୟାରାଣୀଙ୍କୁ ମିଳିଥିଲା ଟିକେଟ୍ । ବିଜେଡ଼ିର ଗଡ଼ କୁହାଯାଉଥିବା କୋରେଇ ତଥା ସ୍ୱାମୀଙ୍କ କର୍ମଭୂମିରେ ବିରୋଧୀଙ୍କୁ ଚକମା ଦେବାରେ ଲାଗି ପଡ଼ିଛନ୍ତି ସନ୍ଧ୍ୟାରାଣୀ ।
ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ପରେ ପ୍ରାର୍ଥୀ ହୋଇଛନ୍ତି ଅଭିନେତା ଆକାଶ ଦାସନାୟକ । ୨୦୧୪ରେ ବିଜେଡି ଟିକେଟରେ ବିଧାନସଭା ଯାଇଥିଲେ । ଏହା ପରେ ଦଳ ୨୦୧୯ରେ ତାଙ୍କୁ ଦଳ ପ୍ରାର୍ଥୀ କରିନଥିଲା । ଏଥର ବି ଟିକେଟ୍ ନମିଳିବା ନେଇ ଜାଣିବା ପରେ ଆକାଶ ପଦ୍ମ ପୋଖରୀକୁ ଡେଇଁଥିଲେ । ବିଜେପି ଟିକେଟ୍ ପାଇବା ପରେ କୋରେଇ ହାତେଇବାକୁ ଜୋରଦାର ପ୍ରୟାସ କରୁଛନ୍ତି ଆକାଶ ।

ତେବେ ବିଜେଡ଼ି ଗଡ଼ରେ ଦଳର ରଣନୀତି କାମ ଦେବ ନା ସ୍ୱାଭିମାନ ଲଢେଇରେ ଆକାଶ ପାଇବେ ସଫଳତା ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା ।
ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି । ବିଜେଡ଼ି ହଠାତ୍ ତାଙ୍କୁ ଟିକେଟ୍ ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲା । କିନ୍ତୁ ବିଜେଡି ଟିକେଟ୍ ମିଳିବା ପରେ ସନ୍ଧ୍ୟାରାଣୀଙ୍କ ପାର୍ଥୀତ୍ୱକୁ ନେଇ ଦଳରେ ଚାପା ଅସନ୍ତୋଷ ରହିଛି । ବିଜେଡି ବିଧାୟକ ଅଶୋକ ବଳ ଓ ବ୍ୟାସନଗର ପୌର ପରିଷଦର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ପ୍ରଚାର ମଇଦାନରେ ସେଭଳି ଆକ୍ଟିଭ ନାହାନ୍ତି । ସେପଟେ କୋରେଇ ଉପରେ ନଜର ପକାଇଥିବା ପ୍ରୀତିରଞ୍ଜନ ଘଡେଇ ବି ନିରାଶ ହୋଇଛନ୍ତି ।
ଏହି ଅସନ୍ତୋଷ ବିଜେପିରେ ବି କମ୍ ନାହିଁ । ବିଜେଡିରୁ ଆସି ଆକାଶ ଦାସନାୟକ ବିଜେପି ଟିକେଟ୍ ହାତେଇବାକୁ ଅନେକ ଦଳୀୟ ନେତା ବିରୋଧ କରିଥିଲେ । ଗତଥରର ବିଜେପି ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଓ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକଜାଣ୍ଡାର ଦାସ ବିଜେପି ଛାଡି ବିଜେଡିକୁ ଯାଇଛନ୍ତି । ଉଭୟ ବିଜେପି ଟିକେଟ୍ ପାଇଁ ଆଶାୟୀ ଥିଲେ । ଏବେ ଆକାଶଙ୍କୁ ମାତ୍ ଦେବାକୁ ଉଭୟ ଅଙ୍କ କଷୁଛନ୍ତି ।
ଗଡ଼ ରଖିବ ତ ବିଜେଡ଼ି !
୨୦୦୪ ପର ଠାରୁ ବିଜେଡ଼ି ହାତରେ ରହିଛି କୋରେଇ । ବିଜେଡି ଓ ବିଜେପିର ମେଣ୍ଟ ପ୍ରାର୍ଥୀ ହୋଇ ୨୦୦୪ରେ କୋରେଇରୁ ବିଜେପି ପ୍ରାର୍ଥୀ ସଞ୍ଚିତା ମହାନ୍ତି ଜିତିଥିଲେ । ଏହାପରଠୁ ବିଜେପି କୋରେଇ ଜିତିପାରିନି । ତେବେ ଗତଥର ବିଜେପି ପ୍ରାର୍ଥୀ ପ୍ରାୟ ୧୭ପ୍ରତିଶତ ଭୋଟ୍ ବଢାଇଥିଲେ । ବିଜେଡିର ଭୋଟ୍ ପ୍ରତିଶତ କମିଥିଲା । ତେଣୁ ଏଥର ବିଜେଡ଼ିର ଅସନ୍ତୋଷ ଏବଂ ମୋଦୀ ଲହରକୁ ସାହାରା କରି କୋରେଇ ଗଣିତକୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରୁଛନ୍ତି ଆକାଶ ।
ସେପଟେ ବିଜୁବାବୁଙ୍କ ଅମଳରେ ଜନତା ଦଳର ଟାଣୁଆ ନେତା ଅଶୋକ ଦାସଙ୍କ ଗଡ ରହିଥିଲା କୋରେଇ । ୧୯୭୪ରୁ ୨୦୦୪ ମଧ୍ୟରେ ସେ ଏଠାରୁ ୫ଥର ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇଥିଲେ । ଅଶୋକ ଦାସଙ୍କ ଗଡରେ ସଂଧ୍ୟାରାଣୀଙ୍କୁ ପ୍ରାର୍ଥୀ କରି ବଡ ଗୋଟି ଚଳାଇଛି ବିଜେଡି । ତେବେ ସନ୍ଧ୍ୟାରାଣୀଙ୍କ ଉପରେ ଅଶୋକ ଦାସଙ୍କ ପରି ବି କୋରେଇ ଭୋଟର ଭରସା କରିବେ କି ନାହିଁ ତାହା ଦେଖିବା ବାକି ରହିଲା ।












Click it and Unblock the Notifications