Election 2024: କାହାକୁ ମିଳୁଛି ସମର୍ଥନ ? କଣ ରହିଛି କେନ୍ଦ୍ରାପଡ଼ା ଲୋକସଭା ଚିତ୍ର
Election 2024: ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଆସନ କେନ୍ଦ୍ରାପଡ଼ା । ଉପକୂଳ ଓଡ଼ିଶାର ରାଜନୈତିକ ପାଣିପାଗ ଏହି ଆସନରୁ ହିଁ ଜଣାପଡ଼େ । କେନ୍ଦ୍ରାପଡ଼ା, ପାଟକୁରା, ଆଳି, ରାଜନଗର, ମହାକାଳପଡ଼ା, ସାଲେପୁର, ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଏହି ଲୋକସଭା ଆସନରେ ଏଥର ରାଜନୈତିକ ମାହୋଲ ବେଶ୍ ରୋଚକ ରହିଛି ।
ଶେଷ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ଏହି ଆସନରେ ଜୋରଦାର ହେଉଛି ପ୍ରଚାର । କେନ୍ଦ୍ରାପଡା ଲୋକସଭା ଆସନ ଆରମ୍ଭରୁ ବିଜେଡିର ଗଡ ରହିଛି । ବିଜେଡ଼ି ଦଳ ଗଠନ ପର ଠାରୁ ହିଁ କେନ୍ଦ୍ରାପଡାରେ ବିଜୟ ପତାକା ଉଡ଼ାଇଆସୁଛି । କିନ୍ତୁ, ଏଥର ଦଳବଦଳ କେନ୍ଦ୍ରାପଡା ଗଣିତକୁ ଗୋଳମାଳ କରିଦେଇଛି ।
ବିଜେଡି ସାଂସଦ ଅନୁଭବ ଏବେ ବିଜେପିରେ ସାମିଲ ହୋଇଥିବା ବେଳେ ଗତଥର କଂଗ୍ରେସରୁ ରାଜନଗର ବିଧାନସଭା ଲଢି ହାରିଥିବା ଅଂଶୁମାନ ମହାନ୍ତିଙ୍କୁ ଏଥର ବିଜେଡି ପ୍ରାର୍ଥୀ କରିଛି । ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପୁଣି ରିପିଟ୍ କରିଛି । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାର୍ଥ ସ୍ବରୂପ ଦାଶ ।
ପୁରୁଣା ପ୍ରତିଦ୍ୱନ୍ଦୀ, ଦଳ ନୂଆ
ପ୍ରଥମ ଥର ପାଇଁ ଲୋକସଭା ଲଢେଇ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି । ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ବାପାଙ୍କ ସଂଗଠନର ଫାଇଦା ପାଇବେ । ପୂର୍ବରୁ କଂଗ୍ରେସରେ ଥିବା ଅଂଶୁମାନ 2014 ରେ ରାଜନଗର ବିଧାନସଭାରୁ ଜିତିଥିଲେ । ତେଣୁ କଂଗ୍ରେସ ଭୋଟ ବି ନିଜ ଆଡକୁ ନେବାରେ ସଫଳ ହେବେ ବୋଲି ଚର୍ଚ୍ଚା ହେଉଛି । ତାସହ କେନ୍ଦ୍ରାପଡାରେ ବିଜେଡିର ମଜଭୂତ ସଂଗଠନ ବି ତାଙ୍କ ସପକ୍ଷରେ ଯାଇପାରେ ।

ସେପଟେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା । ସେ ବିଜେଡିରେ ଥିବା ବେଳେ ଦୁଇ ଥର କେନ୍ଦ୍ରାପଡା ଜିତିଥିଲେ । ହେଲେ ବିଜେପିରୁ ପ୍ରାର୍ଥୀ ହୋଇ ଗତଥର ନିର୍ବାଚନ ହାରିଥିଲେ । ଏଥର ମୋଦି ଲହରକୁ ପାଥେୟ କରି ବିଜୟ ରଣନୀତି କଷୁଛନ୍ତି ବୈଜୟନ୍ତ ।
ଅଙ୍କ ବିଗାଡ଼ୁଛି ଦଳବଦଳ
ଚଳିତ ନିର୍ବାଚନରେ ଦଳବଦଳ ସମସ୍ତ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । କଂଗ୍ରେସ ଛାଡି ବିଜେଡିରେ ମିଶିବା ସହ କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଗଣେଶ୍ୱର ବେହେରା । ତେବେ ଗଣେଶ୍ବରଙ୍କର ଏଣ୍ଟ୍ରି ପରେ କେନ୍ଦ୍ରାପଡା ବିଜେଡିରେ ଅସନ୍ତୋଷ ବଢିଥିଲା। ବିଜେଡି ଛାଡିଥିଲେ ସିପ୍ରା ମଲ୍ଲିକ ଓ ଗୀତାଞ୍ଜଳି ସେଠୀ । ସିପ୍ରା କଂଗ୍ରେସରେ ମିଶି କେନ୍ଦ୍ରାପଡାରୁ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରେ ମିଶି ପ୍ରାର୍ଥୀ ହୋଇଛନ୍ତି ଗୀତାଞ୍ଜଳି ସେଠୀ । ଗଣେଶ୍ବରଙ୍କୁ ପ୍ରାର୍ଥୀ କରି କଂଗ୍ରେସ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ବିଜେଡି ଭୋଟ୍ ଭାଗ ଭାଗ ହୋଇଛି । ଲୋକସଭା ଲଢେଇ ଉପରେ ଏହାର ସିଧାସଳଖ ପ୍ରଭାବ ପଡିପାରେ ବୋଲି ଆକଳନ କରାଯାଉଛି ।
ନିର୍ଣ୍ଣାୟକ ଭୂମିକା ନେବେ ସଂଖ୍ୟାଲଘୁ !
କେନ୍ଦ୍ରାପଡାରେ କିଏ ବିଜୟ ମୁକୁଟ ପିନ୍ଧିବ ତାହାର ନିର୍ଣ୍ଣାୟକ ଭୂମିକା ନେବେ ସଂଖ୍ୟାଲଘୁ ଓ ବଙ୍ଗୀୟ ଭୋଟର । ଏକଲକ୍ଷରୁ ଅଧିକ ସଂଖ୍ୟାଲଘୁ ସଂପ୍ରଦାୟର ମତଦାତା ରହିଥିବା ବେଳେ ରାଜନଗର ଓ ମହାକାଳପଡା ବିଧାନସଭା କ୍ଷେତ୍ରରେ ପ୍ରାୟ 50 ହଜାର ବଙ୍ଗ ଭାଷାଭାଷୀ ମତଦାତା ରହିଛନ୍ତି । ପାରମ୍ପରିକ ଭାବେ ସଂଖ୍ୟାଲଘୁ ଭୋଟ୍ ବିଜେଡି କିମ୍ବା କଂଗ୍ରେସକୁ ଯାଇଛି । ପ୍ରାର୍ଥୀ ହେବା ପରଠୁ ସଂଖ୍ୟାଲଘୁ ଭୋଟ୍ ବ୍ୟାଙ୍କକୁ ଫୋକସ୍ କରିଛି ବିଜେଡି । ତେବେ ଏଥର ବିଏସପି ପ୍ରାର୍ଥୀ ସେକ୍ ସାଦିକ ହୁସେନ୍ କିଛି ସଂଖ୍ୟାଲଘୁ ଭୋଟ୍ ନିଜ ଖାତାକୁ ନେଇପାରନ୍ତି ।
ମୋଦି ଲହର ଭରସାରେ ବୈଜୟନ୍ତ !
ପୂର୍ବରୁ ବିଜେଡି ପକ୍ଷରୁ ଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ଏବେ ବିଜେପିରେ । ବିଜେପି ଯିବା ପରଠାରୁ ସେ ନିର୍ବାଚନରେ ବିଜୟର ସ୍ବାଦ ଚାଖି ନାହାନ୍ତି । ଗତଥର ତାଙ୍କୁ ବିଜେଡ଼ିରେ ଥାଇ ଅନୁଭବ ମହାନ୍ତି ଦେଢ ଲକ୍ଷରୁ ଅଧିକ ଭୋଟରେ ହରାଇଥିଲେ । ଏଥର ପୁଣି ବିଜେପି ତାଙ୍କୁ ଟିକେଟ୍ ଦେବା ପରେ କେନ୍ଦ୍ରାପଡାରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ରୋଡ୍ ଶୋ ଓ ସଭା କରୁଛନ୍ତି ବୈଜୟନ୍ତ । ସିଧାସଳଖ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ପରିବର୍ତ୍ତନର ନାରା ଲଗାଉଛନ୍ତି । ମୋଦି ଲହରକୁ ସେ ସାହାରା କରୁଥିବା ଦେଖିବାକୁ ମିଳୁଛି ।
ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର ଓ ମହାକାଳପଡା ବିଧାନସଭା ଆସନକୁ ନେଇ କେନ୍ଦ୍ରାପଡ଼ା ଲୋକସଭାରେ ଗତଥର ସବୁ ଆସନ ଜିତିଥିଲା ବିଜେଡି । ତେବେ ଏଥର ସେହି ସମୀକରଣ ରହିବ ତ ? ବିଜେଡ଼ି ନିଜର ଗଡ଼ ବଜାୟ ରଖିବାରେ ବିରୋଧୀଙ୍କୁ ମାତ୍ ଦେଇପାରିବ ତ ? ଦଳବଦଳ ଏବଂ ଅସନ୍ତୋଷ ଫଳାଫଳର ପ୍ରଭାବ କେତେ ପଡ଼ିବ ତାହା ଦେଖିବା ବାକି ରହିଲା ।












Click it and Unblock the Notifications