ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ରାଜନୈତିକ ବୟାନ ବାଜିକୁ ନେଇ ବଢୁଛି ବିତର୍କ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ବଢୁଛି ବିତର୍କ । ସାଧାରଣ ମହଲରେ ଏବେ ଗୋଟିଏ ଚର୍ଚ୍ଚା, ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? କିଏ ଚାହୁଁଛି ଆଗୁଆ ନିର୍ବାଚନ ? କାହାକୁ ମିଳିବ ଆଗୁଆ ନିର୍ବାଚନର ଫାଇଦା ?
ଭୁବନେଶ୍ୱର: ସରିଛି ପଦ୍ମପୁର ଉପନିର୍ବାଚନ । ହେଲେ ରାଜ୍ୟରେ ଥମିନି ରାଜନୈତିକ ଉଷ୍ମତା । ଉପନିର୍ବାଚନ ପରେ ଏବେ ରାଜ୍ୟ ଆଗୁଆ ନିର୍ବାଚନ ଏକ ନୂଆ ପ୍ରସଙ୍ଗ ହୋଇ ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ପରେ ବଢୁଛି ବିତର୍କ । ସାଧାରଣ ମହଲରେ ଏବେ ଗୋଟିଏ ଚର୍ଚ୍ଚା, ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? କିଏ ଚାହୁଁଛି ଆଗୁଆ ନିର୍ବାଚନ ? କାହାକୁ ମିଳିବ ଆଗୁଆ ନିର୍ବାଚନର ଫାଇଦା ?
କହିରଖୁ କି, ଗତ ଦୁଇ ଦିନ ତଳେ ରାଜ୍ୟରେ ଆଗୁଆ ନିର୍ବାଚନ ହୋଇପାରେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ରାଜ୍ୟରେ କୁଆଡେ ଆଗୁଆ ନିର୍ବାଚନ ହେବ ନେଇ ଶୁଣା ଯାଉଛି । ପରେ କେନ୍ଦ୍ରମନ୍ତ୍ରୀଙ୍କ କଥାରେ ସହମତି ପ୍ରକାଶ କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରୟଣ ମିଶ୍ର କହିଥିଲେ, ମୁଁ ବି ଶୁଣୁଛି ଆଗୁଆ ନିର୍ବାଚନ ହୋଇଯିବ । ନବୀନ ପଟ୍ଟନାୟକ ନିର୍ବାଚନକୁ ଆଗୁଆ କରି ଦେବେ ।

ଆଗୁଆ ନିର୍ବାଚନର କଣ ଆବଶ୍ୟକତା ରହିଛି ?
ଏହି ପ୍ରଶ୍ନର ଉତ୍ତରରେ ବିରୋଧୀ ଦଳ ନେତା କହିଛନ୍ତି ଯେହେତୁ ବିଜେପିର ଶକ୍ତି ବୃଦ୍ଧି ହେଉଛି ଏବଂ ତାଙ୍କ ଦଳ ଭିତରେ ଓ ଲୋକ ସମର୍ଥନ କମି କମି ଯାଉଛି । ତାକୁ ପ୍ରତିହତ କରିବା ପାଇଁ ଆଗୁଆ ନିର୍ବାଚନ କରି କି ପୁଣି ପାଞ୍ଚ ବର୍ଷ ପାର କରି ନେବାକୁ ଚେଷ୍ଟା କରୁଛନ୍ତି । ତେବେ ଏହାକୁ କାଉଣ୍ଟର କରି ବିଜେଡି ବିଧାୟକ ସୁଶାନ୍ତ ସିଂ କହିଛନ୍ତି ବିଜେଡି ନୁହେଁ ବିଜେପି ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛି ।
ସୁଶାନ୍ତ ସିଂ କହିଛନ୍ତି, ହିମାଚଳ ପ୍ରଦେଶରେ ହାରିବା ପରେ ୫ ରାଜ୍ୟର ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ଆଗୁଆ ନିର୍ବାଚନ ପାଇଁ ବିଜେପି ଯୋଜନା କରୁଛି । ଯଦି କେନ୍ଦ୍ରରେ ଆଗୁଆ ନିର୍ବାଚନ ହୁଏ ତେବେ ମୁଖ୍ୟମନ୍ତ୍ରୀ ଚିନ୍ତା କରିବେ । ଜନସାଧାରଣ ବିଜେଡିକୁ ୫ ବର୍ଷ ପାଇଁ ଭୋଟ ଦେଇଛନ୍ତି । ତେଣୁ ଆଗୁଆ ନିର୍ବାଚନ ପାଇଁ ବିଜେଡି କିଛି ଚିନ୍ତା କରୁନାହିଁ । କିନ୍ତୁ ନିର୍ବାଚନ ଯେକୌଣସି ସମୟରେ ହେଲେ ବିଜେଡି଼ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଯେତେ ବେଳେ ନିର୍ବାଚନ ହେଲେ କଂଗ୍ରେସ ପ୍ରସ୍ତୁତ। କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।
ସୂଚନାଥାଉକି, ଦୁଇ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ୨୦୨୪ ପୂର୍ବରୁ ରାଜ୍ୟରେ ନିର୍ବାଚନ ହୋଇପାରେ ବୋଲି ଶୁଣୁଛି । ନିର୍ବାଚନକୁ ବହୁତ ଦିନ ଅଛି, ବହୁତ କଥା ହେବ। ମହାନଦୀ, ବୈତରଣୀରେ ଅନେକ ପାଣି ବୋହିବ। ପଦ୍ମପୁର ଫଳାଫଳ, ସାଧାରଣ ନିର୍ବାଚନରେ ପ୍ରଭାବ ପକାଇବା କି ନାହିଁ ତାହା ଆଗାମୀ ଦିନରେ ଜଣାପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।
ବିସ୍ୱସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାଇ, ୨୦୨୩ ଜାନୁଆରୀରେ ବିଜେଡି ସୁପ୍ରିମୋ ପଦ୍ମପୁର ଯିବେ। ବିଜେଡି ସେଠି ଧନ୍ୟବାଦ ସମାବେଶ କରିବ। ସେହି ସମାବେଶ ମାଧ୍ୟମରେ ୨୪ ପାଇଁ ବିଜେଡି ସୁପ୍ରିମୋ ନିର୍ବାଚନୀ ବିଗୁଲ ବଜାଇବେ ବୋଲି କୁହାଯାଉଛି ।
୨୦୧୯ରୁ ଏହା ଭିତରେ ୭ଟି ଉପ ନିର୍ବାଚନରୁ ୬ଟିରେ ଦଳ ଜିତିଛି । କିନ୍ତୁ ପଦ୍ମପୁର ଉପ ନିର୍ବାଚନ ବିଜେଡି ପାଇଁ ସ୍ୱତନ୍ତ୍ର ଥିଲା। ପଦ୍ମପୁର ଅପେକ୍ଷା ବିଜେପୁର ଓ ବ୍ରଜରାଜନଗରରେ ବିଜେଡି ଅଧିକ ମାର୍ଜିନରେ ଜିତିଛି । କିନ୍ତୁ ପାର୍ଟି ଓ ନେତାଙ୍କ ଭିତରେ ପଦ୍ମପୁର ବିଜୟ ଭରିଛି ନୂଆ ଉତ୍ସାହ।












Click it and Unblock the Notifications