ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: ରାଜ୍ୟରେ ହେବ କି ଆଗୁଆ ନିର୍ବାଚନ ? ଆଗୁଆ ନିର୍ବାଚନ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହା ଭିତରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବି ଆଗୁଆ ନିର୍ବାଚନ ଦିଗରେ ଅନେକ କିଛି ସଂକେତ ଦେଉଛି ।
ବିଶେଷ କରି ରାଜ୍ୟରେ ଅତିରିକ୍ତ ବଜେଟ୍ ନେଇ ଅର୍ଥ ବିଭାଗର ଚିଠି ପରେ ଏହି ସମ୍ଭାବନା ଅଧିକ ବଢ଼ିଛି । ସେହିପରି ରାଜ୍ୟରେ ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଏବଂ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି କିଛି ନୂତନ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସରକାର ଚିନ୍ତା କରିଛନ୍ତି । ଆଉ ଏବେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି ।

ସୋମବାର ଅର୍ଥ ବିଭାଗ ନିର୍ଦେଶକ ଡ. ସତ୍ୟପ୍ରିୟ ରଥ ସବୁ ବିଭାଗୀୟ ମୁଖ୍ୟଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ୨୦୨୩-୨୪ ଆର୍ଥିକବର୍ଷର ବାର୍ଷିକ ବଜେଟ୍ ଅଧିବେଶନ ଶେଷ ହୋଇଛି । ତେବେ ବଜେଟରେ କେତେକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅତିରିକ୍ତ ବଜେଟ ଅଣାଯିବାକୁ ନିଷ୍ପତ୍ତି ହୋଇଛି । ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି ଲେଖିଥିବାବେଳେ ମୌସୁମୀ ଅଧିବେଶନ(ଅଗଷ୍ଟ ମାସ)ରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ଅଛି | ନିୟମ ଅନୁସାରେ ଅତିରିକ୍ତ ବଜେଟ ଶୀତ ଅଧିବେଶନ (ଡିସେମ୍ବର) ସମୟରେ ଉପସ୍ଥାପିତ ହେବା କଥା । କିନ୍ତୁ ରାଜ୍ୟ ସରକାର ଆଗୁଆ ଅତିରିକ୍ତ ବଜେଟ ଆଣୁଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିଛି ।
ସୂଚନାଥାଉ କି, କିଛିଦିନ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ କମିସନ ଚିଠି ଲେଖିଥିଲେ । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ଅଧିକାରୀଙ୍କ ତାଲିକା ମାଗିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ପାଇବା ପରେ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜିଲ୍ଲାରେ କେଉଁ ଅଧିକାରୀ ନିଜ ଘରୋଇ ଜିଲ୍ଲାରେ ଅଛନ୍ତି, କିଏ ୨୯ ମେ' ୨୦୨୩ ସୁଦ୍ଧା ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି ଏବଂ କେଉଁମାନେ ୩୧ ମେ ୨୦୨୪ ସୁଦ୍ଧା ଉକ୍ତ ସ୍ଥାନରେ ତିନିବର୍ଷ ପୂରଣ କରିବେ ସେମାନଙ୍କ ତାଲିକା ମାଗିଥିଲେ । ଯାହା ଆଗୁଆ ନିର୍ବାଚନର ଆଭାସ ଦେଇଥିଲା ।
ତେବେ ରାଜ୍ୟ ଆଗୁଆ ନିର୍ବାଚନ ନେଇ ବିଜେପି କହିଛି, ଅତିରିକ୍ତ ବଜେଟ୍ ଆଣିବା ଏକ ପ୍ରହେଳିକା । ଆଉ ଏହା ଆଗୁଆ ନିର୍ବାଚନର ସଂକେତ ଦେଉଛି । ତେବେ ଆଗୁଆ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେହିପରି ବିଜେଡି କହିଛି, କେନ୍ଦ୍ର ସରକାର ଯେଉଁଭଳି ତତ୍ପରତା ଦେଖାଉଛନ୍ତି, ତାହା ଆଗୁଆ ନିର୍ବାଚନର ସମ୍ଭାବନାକୁ ବଢ଼ାଇ ଦେଇଛି । ତେବେ ଓଡ଼ିଶାରେ ଆଗୁଆ ନିର୍ବାଚନ ହେବ କି ନାହିଁ, ତାହା ଉପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଅନ୍ୟପଟେ ଆଗୁଆ ନିର୍ବାଚନ ସମ୍ଭାବନାକୁ ଖଣ୍ଡନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଚଳିତ ବର୍ଷ ନିର୍ବାଚନ ବର୍ଷ ଥିବାରୁ ସରକାର ଅତିରିକ୍ତ ବଜେଟ୍ ଆଗତ କରି ଜନତାଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରିବେ ।












Click it and Unblock the Notifications