ବାଜିଲା ଧାମନଗର ଉପନିର୍ବାଚନ ବିଗୁଲ: ଜାଣନ୍ତୁ, କଣ କହୁଛି ଇତିହାସ ? କାହା ପଲ୍ଲା କେତେ ରହିଛି ଭାରି ?

ବିଜେପି ଦଳର ଟାଣୁଆ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ବିଧାନସଭା ଆସନ ଖାଲି ହୋଇଛି । ଫଳରେ ଆଜି ସେହି ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜିଛି ।

ଭୁବନେଶ୍ୱର: ବିଜେପି ଦଳର ଟାଣୁଆ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ଧାମନଗର ବିଧାନସଭା ଆସନ ଖାଲି ହୋଇଛି । ଫଳରେ ଆଜି ସେହି ଆସନ ପାଇଁ ଉପନିର୍ବାଚନ ବିଗୁଲ ବାଜିଛି । ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଅକ୍ଟୋବର ୧୪ ରହିଛି । ଅକ୍ଟୋବର ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ସେହିପରି ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ। ନଭେମ୍ବର ୩ରେ ଭୋଟ୍ ଗ୍ରହଣ ହେବ । ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳ ପ୍ରକାଶ ପାଇବ । ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ହୋଇଥିଲା । ଏହାପରେ ଉପନିର୍ବାଚନ ନେଇ କଳ୍ପନାଜଳ୍ପନା ଚାଲିଥିଲା ।

Dhamnagar By Election

ବିଷ୍ଣୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିରୁ ଦଳୀୟ ପ୍ରାର୍ଥୀ ହୋଇ ଧାମନଗର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେତେବେଳେ ଭଦ୍ରକ ଜିଲ୍ଲାରେ ୫ଟି ବିଧାନସଭା କ୍ଷେତ୍ରରୁ ୪ଟି ବିଧାନସଭା ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କେବଳ ଧାମନଗର ଆସନରୁ ବିଷ୍ଣୁ ବିଜୟୀ ହୋଇ ବିଜେପିର ସମ୍ମାନ ରକ୍ଷା କରିଥିଲେ। ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇ ବିଷ୍ଣୁ ୪୬୨୫ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ । ବିଷ୍ଣୁଙ୍କର ଏହି ବିଜୟ ପରେ ତାଙ୍କୁ ବିଧାନସଭାରେ ବିରୋଧୀ ଦଳର ଉପନେତା ପଦ ମିଳିଥିଲା । ସେବେଠାରୁ ରାଜ୍ୟ ରାଜନୀତି‌ରେ ବିଷ୍ଣୁଙ୍କର ଏକ ସ୍ବତନ୍ତ୍ର ପତିଆରା ସୃଷ୍ଟି ହୋଇଥିଲା ।

ତେବେ ଧାମନଗର ବିଧାନସଭା ନିର୍ବାଚନ ଇତିହାସକୁ ନଜର ପକାଇଲେ ଆପଣ ସଷ୍ଟ ଭାବେ ଅନୁମାନ ଲଗାଇ ପାରିବେ ଯେ,
ଗତ ୨୨ ବର୍ଷ ଭିତରେ ଧାମନଗରବାସୀ କୌଣସି ଗୋଟିଏ ଦଳ କି ପ୍ରାର୍ଥୀ ଉପରେ ଭରସା କରି ନାହାଁନ୍ତି । ଉପକୂଳର ଏହି ଚର୍ଚ୍ଚିତ ଆସନରେ ଗତ ୫ଟି ବିଧାନସଭା ନିର୍ବାଚନରେ ବିଜେଡି ଓ ବିଜେପି ପ୍ରାର୍ଥୀ ୨ ଥର ଜିତିଥିବା ବେଳେ ଗୋଟିଏ ଥର ସ୍ୱାଧୀନ ପ୍ରାର୍ଥୀ ବାଜିମାତ୍ କରିଛନ୍ତି ।

୨୦୦୦ ମସିହାରେ ଧାମନଗର ବାସୀ ସ୍ୱାଧୀନ ପ୍ରାର୍ଥୀ ମାନସରଞ୍ଜନ ମଲ୍ଲିକଙ୍କୁ ଭରସା କରିଥିଲେ । ବିଜେପି ପ୍ରାର୍ଥୀ ମନମୋହନ ସାମଲଙ୍କୁ ୧ ହଜାର ୭୦୩ ଭୋଟରେ ହରାଇଥିଲେ ମାନସ ମଲ୍ଲିକ । ସେହିପରି ୨୦୦୪ରେ ବିଜେଡି-ବିଜେପି ମେଣ୍ଟ ବେଳେ ବିଜେପି ନେତା ମନମୋହନ ସାମଲ ବିଧାୟକ ଭାବେ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ରାଉତଙ୍କୁ ୨୮ ହଜାର ୯୪୦ ଭୋଟରେ ହରାଇ ବିଧାୟକ ହୋଇଥିଲେ ବିଜେପିର ମନମୋହନ ସାମଲ ।

ଧାମନଗର ଆସନ ୨୦୦୯ ମସିହା ପୂର୍ବରୁ ସାଧାରଣବର୍ଗର ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ମାତ୍ର ୨୦୦୯ରେ ଅନୁସୂଚିତ ଜାତିବର୍ଗର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବାରୁ ଦେଖିବାକୁ ମିଳିଳା କଡ଼ା ଟକ୍କର । ବିଜେଡିର ରାଜେନ୍ଦ୍ର ଦାସ ଓ ବିଷ୍ଣୁ ସେଠୀଙ୍କ ମଧ୍ୟରେ ହୋଇଥିବା କଡ଼ା ପ୍ରତିଦ୍ୱନ୍ଦ୍ୱୀତାରେ ୪ ହଜାର ୯୪୪ ଭୋଟରେ ବାଜି ମାରି ନେଇଥିଲେ ରାଜେନ୍ଦ୍ର ଦାସ । ସେହିପରି ୨୦୧୪ ମସିହାରେ ବିଜେିଡର ମୁକ୍ତିକାନ୍ତ ମଣ୍ଡଳଙ୍କ ସହ ବିଜେପିର ବିଷ୍ଣୁ ସେଠୀ ପ୍ରତିଦ୍ୱନ୍ଦୀତା କରିଥିବା ବେଳେ ୯ ହଜାର ୧୯୨ ଭୋଟରେ ମୁକ୍ତିକାନ୍ତ ନିର୍ବାଚନ ଜିତିଥିଲେ ।

ଅନ୍ୟପଟେ ୧୯୫୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୫୭ ଓ ୧୯୬୧ରେ କଂଗ୍ରେସରୁ ମୁରଲୀଧର ଜେନା ଏଠାରୁ ଲଗାତର ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ। ୧୯୬୭ରେ ଶ୍ରୀମତୀ ଦେଇ ଜନକଂଗ୍ରେସରୁ ବିଧାୟକ ହୋଇଥିବା ବେଳେ ୧୯୭୧ରୁ ୧୯୭୪ ପର୍ଯ୍ୟନ୍ତ ହୃଦାନନ୍ଦ ମଲ୍ଲିକ ଲଗାତାର ଦୁଇଥର ଉତ୍କଳ କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ। ୧୯୭୭ରେ ପୁଣି ହୃଦାନନ୍ଦ ମଲ୍ଲିକ ଜନତା ପାର୍ଟିରୁ ବିଧାୟକ ହୋଇଥିଲେ। ପରେ ୧୯୮୦ ଓ ୧୯୮୫ରେ ଜଗନ୍ନାଥ ରାଉତ ଲଗାତର କଂଗ୍ରେସରୁ ଦୁଇଥର ବିଧାୟକ ହୋଇଥିଲେ। ୧୯୯୦ରେ ଜନତା ଦଳରୁ ହୃଦାନନ୍ଦ ମଲ୍ଲିକ ବିଧାୟକ ହୋଇଥିଲେ।

ହୃଦାନନ୍ଦଙ୍କ ବିୟୋଗ ପରେ ୧୯୯୦ ଉପନିର୍ବାଚନରେ ତାଙ୍କ ପୁତ୍ର ମାନସ ମଲ୍ଲିକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୫ରେ ଜଗନ୍ନାଥ ରାଉତ କଂଗ୍ରେସରୁ ବିଧାୟକ ହୋଇଥିଲେ। ୨୦୦୦ ନିର୍ବାଚନରେ ହୃଦାନନ୍ଦ ମଲ୍ଲିକଙ୍କ ପୁତ୍ର ମାନସ ମଲ୍ଲିକ ସ୍ବାଧୀନ ଭାବେ ବିଜୟୀ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+