ବାପାଙ୍କୁ କେତେ ଭଲ ପାଉଥିଲେ ଝାରସୁଗୁଡାବାସୀ, ତାର ଉତ୍ତର ଆଜି ମିଳିଲା: ଦୀପାଳି ଦାସ
ଝାରସୁଗୁଡ଼ା: ପୋଷ୍ଟାଲ ଭୋଟ୍ ମିଶିବା ପରେ ପ୍ରକାଶ ପାଇଛି ଝାରସୁଗୁଡା ଉପନିର୍ବାଚନର ଚୂଡ଼ାନ୍ତ ଫଳାଫଳ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ୪୮, ୭୨୧ ଭୋଟରେ ବିଜୟୀ ହୋଇଛନ୍ତି । ଏଥି ସହିତ ସେ ନିଜ ବାପା ନବ ଦାସଙ୍କ ଭୋଟ୍ ବ୍ୟାବଧାନ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ।
ତେବେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି ଦାସ । ସେ କହିଛନ୍ତି ଯେ, 'ଆଜି ସମସ୍ତେ ମୋ ବାପାଙ୍କ ବ୍ୟକ୍ତିତ୍ୱ, ଅସ୍ଥିତ୍ୱ ଓ ତାଙ୍କ ନାଁକୁ ଝାରସୁଗୁଡ଼ା ମାଟିକୁ ଫେରାଇ ଆଣିଛନ୍ତି । ମୋ ବାପା ପୁଣି ଥରେ ଝାରସୁଗୁଡ଼ାକୁ ଫେରିଛନ୍ତି। ବାପାଙ୍କୁ ଲୋକେ ବିଶ୍ୱାସ କରୁଥିଲେ, ଏଥର ତାଙ୍କ ଝିଅ ଉପରେ ଆସ୍ଥା ପ୍ରକଟ କରିଛନ୍ତି ।'

ସେ କହିଛନ୍ତି ଝାରସୁଗୁଡ଼ାରେ ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ , ବାପାଙ୍କୁ ସମସ୍ତେ କେତେ ଭଲ ପାଉଥିଲେ ତା' ଉତ୍ତର ଆଜି ମିଳିଗଲା। ଝାରସୁଗୁଡାରେ ବିକାଶର ଦୀପାବଳି ଜଳିବା ପାଇଁ ଆଉ କେହି ଅଟକାଇ ପାରିବେ ନାହିଁ। ଝାରସୁଗୁଡାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୋ ଉପରେ ଭରସା କରିଛନ୍ତି। ବାପାଙ୍କ ପରି କାମ କରିକି ଦେଖେଇବାର ଅଛି ବୋଲି ମଧ୍ୟ କହିଛନ୍ତି ଦୀପାଳି ଦାସ ।
ଅନ୍ୟପଟେ ଦୀପାଳିଙ୍କ ଭାଇ ବିଶାଳ କହିଛନ୍ତି ଆଜି ବାପାଙ୍କ କଥା ମନେ ପଡ଼ିଯାଉଛି । ଝାରସୁଗୁଡ଼ାବାସୀ ଯେମିତି ବାପାଙ୍କୁ ଭଲ ପାଇବା ଦେଉଥିଲେ ଠିକ୍ ସେମିତି ଦୀପାଳିକୁ ବି ଭଲପାଇବା ଦେଇଛନ୍ତି । ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ।
ତେବେ ଝାରସୁଗୁଡା ଉପନିର୍ବାଚନ ଫଳାଫଳ ପାଇଁ ଆଜି ହୋଇଥିବା ଭୋଟ ଗଣତିର ପ୍ରତି ରାଉଣ୍ଡରେ ଆଗରେ ଥିଲେ ବିଜେଡି ପ୍ରାର୍ଥିନୀ । ପ୍ରଥମରୁ ଶେଷ ରାଉଣ୍ଡ ଯାଏ ବଢି ବଢି ଚାଲିଥିଲା ଦୀପାଳିଙ୍କ ଭୋଟ୍ ବ୍ୟବଧାନ । ଶେଷରେ ଦୀପାଳି ଦାସ ୪୮ ହଜାର ୬୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ବିଜେଡ଼ିରୁ ପ୍ରାର୍ଥୀ ହୋଇଥିଲେ ଦୀପାଳି ଦାସ ବାପା ତଥା ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଯେଉଁଥିରେ ସେ ୯୮, ୬୨୦ ଖଣ୍ଡ ଭୋଟ୍ ପାଇଥିଲେ । ପ୍ରାୟ ୪୫ ହଜାରରୁ ଉର୍ଦ୍ଧ୍ୱ ଭୋଟରେ ସେ ତାଙ୍କର ନିକଟତ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଦିନେଶ କୁମାର ଜୈନ ପରାସ୍ତ କରିଥିଲେ । ତେଣୁ ପ୍ରାୟ ନିଜ ବାପାଙ୍କଠୁ ପ୍ରାୟ ୩ ହଜାର ଅଧିକ ଭୋଟରେ ଜିତି ବାପାଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି ।












Click it and Unblock the Notifications