ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ତେଜିଲା ବିବାଦ: କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଆବାସ ପ୍ଲସରେ ସମସ୍ତ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଘର ଯୋଗାଣ ପାଇଁ ବାରମ୍ବାର ଦାବି ହୋଇଥି୍ବା ବେଳେ କେନ୍ଦ୍ର ସରକାର ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

ଆବାସ ପ୍ଲସରେ ସମସ୍ତ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରଖିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟ ରୁରାଲ ହାଉସିଂ ପୋର୍ଟାଲରେ ଏହି ହିତାଧିକାରୀମାନଙ୍କ ତଥ୍ୟ ରହିଛି । ସେହିପରି ଫନି ବାତ୍ୟା ପରେ କରାଯାଇଥିବା ପ୍ରତିଶ୍ରୁତି ପାଳନ କରିବାକୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।
ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀଙ୍କୁ ଏନେଇ ବାରମ୍ବାର ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟର ୬ ଲକ୍ଷ ୬୫ ହଜାର ଗ୍ରାମୀଣ ହାଉସିଂ ପରିବାରର ତଥ୍ୟ ଆବାସ ପୋର୍ଟାଲରେ ସାମିଲ ହୋଇନି ।

ପ୍ରତିଶ୍ରୁତି ଅନୁସାରେ ୧ ଲକ୍ଷ ୪୮ ହଜାର ସ୍ୱତନ୍ତ୍ର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣରେ ମଞ୍ଜୁର କରାଯାଉ । ଏଥିସହ ଆବାସ ପ୍ଲସ ୱିଣ୍ଡୋକୁ ନୂଆ ହିତାଧିକାରୀଙ୍କ ପାଇଁ ଖୋଲିବାକୁ ଚିଠିରେ ଲେଖାଯାଇଛି । କର୍ଣ୍ଣାଟକକୁ ଆବାସ ପ୍ଲସରେ ନୂଆ ହିତାଧିକାରୀ ସାମିଲ କରିବାକୁ ଜାନୁଆରୀ ୧୩ରେ ଅନୁମତି ମିଳିଥିଲା । କିନ୍ତୁ ଓଡିଶାରେ ବାରମ୍ବାର ଅନୁରୋଧ ସତ୍ୱେ ସୁଯୋଗ ଦିଆ ଯାଉନାହିଁ । ଏହା ଓଡିଶା ପ୍ରତି ଅନ୍ୟାୟ । କେବିକେ ଅଂଚଳକୁ ଅଣଦେଖା କରାଯାଉଛି ବୋଲି ଚିଠିରେ ଲେଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।












Click it and Unblock the Notifications