ପିସିସି ସଭାପତି ପରିବର୍ତ୍ତନ ନେଇ ତାରାଙ୍କ ବଡ ବୟାନ
ପିସିସି ସଭାପତି ପରିବର୍ତ୍ତନ ନେଇ ତାରାଙ୍କ ବଡ ବୟନା । କହିଲେ, ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ସଭାପତି କରିବାକୁ ଆମେ ଦାବି କରୁଛୁ। ନଚେତ ଅସନ୍ତୋଷ ପ୍ରକାଶ କରିବୁ...
ଭୁବନେଶ୍ୱର: ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ନିରଞ୍ଜନ ପଟ୍ଟନାୟକ ଆଉ ସଭାପତି ହେବାକୁ ଇଚ୍ଛୁକ ନୁହନ୍ତି। ତେଣୁ ବିଧାୟକଙ୍କ ଭିତରୁ ଜଣଙ୍କୁ କାହାକୁ ସଭାପତି କରିବାକୁ ଆମେ ଦାବି କରୁଛୁ। ନଚେତ ଅସନ୍ତୋଷ ପ୍ରକାଶ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

ଜଣେ ବିଧାୟକ ପିସିସି ହେଲେ ତାଙ୍କ ସହ ୯ ବିଧାୟକ ବୁଲିବେ ଦଳ ଦମ ଦେଖେଇ ପାରିବ । ମୋତେ ଯଦି କାର୍ଯ୍ୟକାରୀ ସଭାପତି ପଦ ଦିଆଯାଏ ମୁଁ ତାକୁ ଗ୍ରହଣ କରିବି ନାହିଁ । ବିଧାୟକ ମାନଙ୍କ ମଧ୍ୟରୁ କାହାକୁ ନଦେଲେ ଆମ ଭିତରେ ଅସନ୍ତୋଷ ରହିବ । ଦଳ ଛାଡିବୁନି କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ଜଣାଇବୁ । ଠିକ୍ ଭାବେ ଫୁଟବଲ ଖେଳିଲେ ଗୋଲ ନିଶ୍ଚୟ ହେବ । କଂଗ୍ରେସର ନବକଳେବର ହେବ, ସଙ୍ଗଠନ ସୁଦୃଢ ହେଲେ ଲୋକଙ୍କର ବିଶ୍ୱାସ ବଢିବ ବୋଲ ତାରା କହିଛନ୍ତି ।
ସେପଟେ ତାରା ବାହିନୀପତିଙ୍କ ଏହି ମନ୍ତବ୍ୟକୁ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ ସମର୍ଥନ କରିଥିଲେ ବି ଏଆଇସିସି ପ୍ରେସିଡେଣ୍ଟ ଯାହା ନିଷ୍ପତ୍ତି ନେବେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି।
ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାକୁ ଗ୍ରହଣ କରିବୁ। ସେ ପୂର୍ବତନ ସଭାପତି କି ବିଧାୟକ ବି ହୋଇପାରନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ଏନେଇ ସେ କହିଛନ୍ତି, କେବଳ ପିସିସି ନୁହେଁ କଂଗ୍ରେସ ବିଧାୟକ ଦଳ ନେତା ବି ବଦଳିବାର ଆବଶ୍ୟକତା ରହିଛି।
ତାରାଙ୍କ ସହ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି, ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଗଲେ ଭଲ । କଂଗ୍ରେସ ଗୋଟିଏ ଶୃଙ୍ଖଳିତ ଦଳ । ଗତ କିଛି ବର୍ଷ ହେବ କଂଗ୍ରେସର ସଙ୍ଗଠନ ଦୁର୍ବଳ ହୋଇ ଚାଲିଛି । ତେଣୁ ଏବେ କଂଗ୍ରେସକୁ ନୂଆ ଢାଞ୍ଚାର ଆବଶ୍ୟକତା ରହିଛି । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହାକୁ ଆମେ ଗ୍ରହଣ କରିବୁ ଓ କଂଗ୍ରେସକୁ ତୃଣମୂଳସ୍ତରରେ ସଙ୍ଗଠିତ କରିବାକୁ କାର୍ଯ୍ୟ କରିବୁ ।
ଓଡିଶା, ୟୁପି ଓ ଛତିଶଗଡ଼ରେ କଂଗ୍ରେସ ଏକାକୀ ଲଢୁ ବୋଲି କିଛି ଦିନ ପୂର୍ବେ ପ୍ରଶାନ୍ତ କିଶୋର ଏଆଇସିସି ସଭାପତିଙ୍କୁ ପରାମର୍ଶ ଦେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ସବୁ ରାଜ୍ୟରେ କଂଗ୍ରେସର ନିଜସ୍ୱ ଭୋଟ ଅଛି, ତେଣୁ ଏହାଦ୍ୱାରା କଂଗ୍ରେସ ସଫଳତାର ସ୍ୱାଦ ଚାଖିପାରିବ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର।












Click it and Unblock the Notifications