ଝାରସୁଗୁଡ଼ା ଉପନିର୍ବାଚନ: ମେ' ପ୍ରଥମ ସପ୍ତାହରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ
ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାରଠାରୁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ ହୋଇ ଯାଇଛି । ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଲେଣି । ଝାରସୁଗୁଡ଼ାରେ ଗ୍ରୀଷ୍ମ ତାତି ସାଙ୍ଗକୁ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଲାଣି ।
ତେବେ ଏହାରି ଭିତରେ ବିଜେଡି ଶିବିରରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ମେ' ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ ।

ତେବେ ଦୀପାଳି ଦାସଙ୍କ ପାଇଁ କେଉଁ ତାରିଖରେ ନବୀନ ପ୍ରଚାର କରିବେ ସେନେଇ ଏଯାଏ ନିଷ୍ପତ୍ତି ହୋଇ ନାହିଁ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ କେବଳ ଗୋଟିଏ ଦିନ ପାଇଁ ପ୍ରଚାର କରିବେ । କହିରଖୁ କି, ନିକଟରେ ବିଜେଡି ଘୋଷଣା କରିଥିବା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାର ପ୍ରଥମ ସ୍ଥାନରେ ରହିଛି ମୁଖ୍ୟମନ୍ତ୍ରୀ ତଥା ବିଜେଡି଼ ସୁପ୍ରିମୋଙ୍କ ନାଁ ।
ସେହିପରି ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) ପ୍ରଣବ ପ୍ରକାଶ ଦାସ, ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନାମ ରହିଛି।
ଉଲ୍ଲେଖଥାଉ କି, ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।
ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆସନ୍ତା ମେ' ୮ ତାରିଖରେ ପ୍ରଚାର ଶେଷ ହେବ । ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।
ସୂଚନାଥାଉ କି, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଆସନ ଖାଲି ପଡିଛି । ନବ ଦାସଙ୍କ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି।












Click it and Unblock the Notifications