Get Updates
Get notified of breaking news, exclusive insights, and must-see stories!

ନିର୍ବାଚନ ବେଳେ ରାଜନୀତି କର, ନିର୍ବାଚନ ସରିଲେ ସମସ୍ତେ ଏକାଠି ହୋଇ କାମ କରିବା ଦରକାର: ମୁଖ୍ୟମନ୍ତ୍ରୀ

ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି।

ଭୁବନେଶ୍ୱର: ଲୋକଙ୍କ ସେବା ହେଉଛି ମୁଖ୍ୟ, ରାଜନୀତି ଏଥିପାଇଁ ଏକ ମାଧ୍ୟମ ମାତ୍ର । ଏହା ଆମେ ସମସ୍ତେ ମନେ ରଖିବା ଦରକାର । ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜନୀତି ହୁଏ । ନିର୍ବାଚନ ସରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରନ୍ତୁ । ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରାକୁ ସଫଳ କରିବା ନିମନ୍ତେ ବରମୁଣ୍ଡା ପଡ଼ିଆରେ ଆୟୋଜିତ ପ୍ରସ୍ତୁତି ବୈଠକର ଦ୍ଵିତୀୟ ଦିବସରେ ଭର୍ଚୁଆଲ ମାଧ୍ୟମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ଜନ ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ଏଭଳି ଆହ୍ଵାନ ଦେଇଛନ୍ତି ।

CM Naveen Patnaik

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏକ ଆଞ୍ଚଳିକ ଦଳ ଭାବେ ଆମେ ସବୁବେଳେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ପ୍ରାଥମିକତା ଦେଇ ଆସିଛୁ। ଆଗକୁ ମଧ୍ୟ ଦେଇ ଚାଲିବୁ। ଆମ ଦଳ ଲୋକଙ୍କ ସୁଖଦୁଃଖରେ ଏବଂ ଲୋକଙ୍କ ସାଥିରେ ରହି ଆସିଛି। ଏହି ଧାରାକୁ ଅନୁସରଣ କରି ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କୁ ସାଥିରେ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ ଏବଂ ସାରା ରାଜ୍ୟରେ ଏହି ପଦଯାତ୍ରାକୁ ସଫଳ କରାନ୍ତୁ ।

ପ୍ରାରମ୍ଭରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳର ବରିଷ୍ଠ ନେତା ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ ପ୍ରମୁଖ ଦ୍ୱିତୀୟ ଦିବସର ଏହି କର୍ମଶାଳାକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ। ସଂଗଠନ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନେତୃତ୍ଵ ଓ ସ୍ୱଚ୍ଛ ପ୍ରଶାସନ ଯୋଗୁଁ ଓଡ଼ିଶା ଆଜି ପ୍ରତିଟି କ୍ଷେତ୍ରରେ କିପରି ଉନ୍ନତିର ମାର୍ଗରେ ଦ୍ରୁତ ଗତିରେ ଆଗଉଛି, ତାହାର ବାର୍ତ୍ତା ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ବୈଠକରେ ଉପସ୍ଥିତ ଥିବା ଦଳର ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ପୌର ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଦଳର ଜିଲ୍ଲା ଓ ବ୍ଳକ୍ କର୍ମକର୍ତାମାନଙ୍କୁ ମନ୍ତ୍ର ଦେଇଥିଲେ।

ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଚିନ୍ତାଧାରା ଯୋଗୁଁ ସମସ୍ତଙ୍କ ଶ୍ରଦ୍ଧାଭାଜନ ହୋଇଛନ୍ତି ଏବଂ ୫ଥର ଯାକ ଦଳକୁ ବିଜୟୀ କରାଇଛନ୍ତି। ଲୋକେ ତାଙ୍କୁ ନି8ସର୍ତ ଭାବେ ଭଲ ପାଆନ୍ତି। ଏବେ ଷଷ୍ଠ ଥର ପାଇଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଆମକୁ ସେ ଦାୟିତ୍ଵ ନେବାକୁ ହେବ ଏବଂ ଏଥିପାଇଁ କଠିନ ପରିଶ୍ରମ କରିବାକୁ ହେବ।

ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓଡ଼ିଶାକୁ ଆମ ହକ୍ ଦେଉନାହିଁ ବୋଲି ବିଭିନ୍ନ ଉଦାହରଣ ସହ କହିଥିଲେ। ଓଡିଶା ପ୍ରତି କେନ୍ଦ୍ରର ଅବିଚାରର ସୀମା ନାହିଁ ବୋଲି ଦର୍ଶାଇ ସେ କହିଲେ ଯେ ୬୦ ଦଶକରେ ଆରମ୍ଭ ହୋଇଥିବା ଏହି ଅବିଚାର ଏବେ ବି ଜାରି ରହିଛି। ରେଳବାଇଠୁ ନେଇ ବିପର୍ଯ୍ୟୟ ସହାୟତା ଓ ଉଷୁନା ଚାଉଳ ଉଠାଣ ପର୍ଯ୍ୟନ୍ତ କେନ୍ଦ୍ର ଓଡ଼ିଶାକୁ ଅବିଚାର ଜାରି ରଖିଛି। ତେଣୁ କେନ୍ଦ୍ରର ଏହି ଅବିଚାର ବିରୋଧରେ ଆମର ଲଢ଼େଇ ଜାରି ରହିବ।

ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ କହିଲେ, ବିପର୍ଯୟକୁ ସଫଳ ମୁକାବିଲା କରିବାରେ ଓଡ଼ିଶା ଆଜି ସାରା ବିଶ୍ଵକୁ ଦିଗଦର୍ଶନ ଦେଉଛି। ପ୍ରାକୃତ୍ରିକ ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀ "ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ " ଆହ୍ୱାନ ଦେବା ପରେ ଓଡ଼ିଶା ମଡେଲକୁ ଦେଖି ପ୍ରଶିକ୍ଷଣ ନେବା ପାଇଁ ଅନ୍ୟ ରାଜ୍ୟର ଅଫିସରମାନେ ଓଡ଼ିଶା ଆସୁଛନ୍ତି। ତେବେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ କେନ୍ଦ୍ର ଆମକୁ ସହଯୋଗ କରୁନି ବୋଲି ସେ ଅଭିଯୋଗ କରିଥିଲେ ଏବଂ ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆର୍ଥିକ ସୁପରିଚାଳନା ଯୋଗୁଁ ଓଡ଼ିଶା କିପରି ଦ୍ରୁତ ଗତିରେ ପ୍ରଗତି କରୁଛି, ତାହାର ଚିତ୍ର ପ୍ରଦାନ କରିଥିଲେ। ମହାବାତ୍ୟା ପରର ଦୟନୀୟ ଆର୍ଥିକ ସ୍ଥିତିରୁ ଉଠି ଓଡ଼ିଶାର ଅର୍ଥନୀତି ଆଜି ଉପରମୁହାଁ ହୋଇଛି। ୨୦୦୦ ମସିହାରେ ରାଜ୍ୟର ବଜେଟ ସାଢେ ୧୧ ହଜାର କୋଟିରୁ ବଢି ୨ ଲକ୍ଷ କୋଟିରେ ପହଞ୍ଚିଛି। ସରକାର ଯେତେ ସବୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି, ସେସବୁର କାର୍ଯ୍ୟକାରୀତା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ଶ୍ରୀ ପୂଜାରୀ କହିଥିଲେ।

ମନ୍ତ୍ରୀ ପ୍ରୀତି ରଂଜନ ଘଡ଼େଇ କହିଥିଲେ ଯେ ଗମନାଗମନ କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଇଥିବାରୁ ଓଡ଼ିଶାରେ ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି। ୧୭ ହଜାର ଗାଁକୁ ନିତି ଦିନିଆ ରାସ୍ତା ନିର୍ମାଣ ହୋଇଛି। ଦୁଇ ଦଶନ୍ଧି ମଧ୍ୟରେ ରାସ୍ତା ନିର୍ମାଣ ବଜେଟ୍ ୨୯୮ କୋଟିରୁ ବଢି ୧୭ହଜାର ୪୨୪ କୋଟିରେ ପହଞ୍ଚିଛି। ତେଣୁ ଏହି ସବୁ ତଥ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେ ନିବେଦନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ୫ଟି ରୂପାନ୍ତରୀକରଣର ସୁନେଲି ଚିତ୍ର ଉପସ୍ଥାପନ କରିବା ସହ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ -ଟି ମନ୍ତ୍ରକୁ ଭୂୟସୀ ପ୍ରଶଂସା କରିଥିଲେ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିଜ ଭାଷାଣରେ ଓଡ଼ିଶା କେମିତି ନିଅଣ୍ଟିଆ ଖାଦ୍ୟ ରାଜ୍ୟରୁ ଆଜି ବଳକା ରାଜ୍ୟରେ ପରିଣତ ହୋଇଛି, ତାହାର କାହାଣୀ ବର୍ଣ୍ଣନା କରିଥିଲେ। ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ଘୃଣା ଓ ଅସୂୟାର ରାଜନୀତି ଚଳିବ ନାହିଁ ବୋଲି ଦର୍ଶାଇ ଧର୍ମନିରପେକ୍ଷତାରେ ବିଶ୍ଵାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଓଡ଼ିଶାବାସୀଙ୍କ ବିଶ୍ଵାସ, ଭରସା ଓ ଆଶୀର୍ବାଦ ଅଛି ବୋଲି କହିଥିଲେ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନବୀନ ବାବୁଙ୍କ ଦୃଢ ନେତୃତ୍ଵ ଯୋଗୁଁ ଓଡ଼ିଶା ସରକାର କିପରି ସମସ୍ତ ପ୍ରତିକୂଳତାକୁ ଅତିକ୍ରମ କରି ପ୍ରତିବଦ୍ଧତାର ସହ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଛନ୍ତି, ପଦଯାତ୍ରା ବେଳେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ଵାନ ଦେଇଥିଲେ ।

ଶେଷରେ ପ୍ରଖ୍ୟାତ ପ୍ରେରଣାଦାୟୀ ବକ୍ତା ଉଜ୍ୱଳ ପଟନି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ଶ୍ରଦ୍ଧାଭାଜନ ହେବାକୁ ଆବଶ୍ୟକ ବିଭିନ୍ନ ପଦକ୍ଷେପ ଓ କୌଶଳ ସଂପର୍କରେ ଅବଗତ କରିଥିଲେ। ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ମଧ୍ୟରେ ବଦ୍ରି ନାରାୟଣ ପାତ୍ର, ପ୍ରସନ୍ନ ପାଟ୍ଟଶାଣୀ, ସୌମ୍ୟରଂଜନ ପଟ୍ଟନାୟକ, ସୁଶାନ୍ତ ସିଂ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+