ପଞ୍ଜାବ ରାଜନୀତିରେ ନୂଆ ଟୁଇଷ୍ଟ: ବିଜେପି ସହ ମେଣ୍ଟ ଘୋଷଣା କଲେ କ୍ଯାପଟେନ ଅମରିନ୍ଦର ସିଂ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିରେ ଆସିଲା ଜବରଦସ୍ତ ଟୁଇଷ୍ଟ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ଯାପଟେନ ଅମରିନ୍ଦର ସିଂହଙ୍କୁ ନେଇ ଆସିଲା ନୂଆ ରାଜନୈତିକ ଖବର। ମୁଖ୍ୟମନ୍ତ୍ରୀ ପଦବୀ ଛାଡିବା ସହିତ କଂଗ୍ରେସରୁ ଇସ୍ତଫା ଦେଇଥିବା କ୍ଯାପଟେନ ସିଂ ନୂତନ ରାଜନୈତିକ ଦଳ ଗଠନ ପାଇଁ ପୂର୍ବରୁ ଘୋଷଣା କରିଥିବା ବେଳେ ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ସହିତ ମେଣ୍ଟ ଗଠନ କରିବାକୁ ଘୋଷଣା କରିଛନ୍ତି।

ଅମରିନ୍ଦର ଏହି ଗୁରୁତ୍ବପୂର୍ଣ ଘୋଷଣା କରିବା ପୂର୍ବରୁ ନୂଆଦିଲ୍ଲୀରେ ପଞ୍ଜାବ ଦାୟିତ୍ଵରେ ଥିବା ବିଜେପିର ବରିଷ୍ଠ ନେତା ଗଜେନ୍ଦ୍ର ସିଂ ଶେଖାୱାତଙ୍କ ସହିତ ସାକ୍ଷାତ କରିଥିଲେ। ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକ ସମ୍ପୂର୍ଣ ରାଜନୈତିକ ଥିଲା ଏବଂ ଏଥିରେ ଆଗାମୀ କାର୍ଯ୍ୟ ପନ୍ଥା ନେଇ ସବିଶେଷ ଆଲୋଚନା ହୋଇଥିଲା। ଆସନ ବଣ୍ଟନ ନେଇ ସମ୍ପୂର୍ଣ ତଥ୍ୟ ଘୋଷଣା କରାଯିବ ବୋଲି ଶେଖୱାତ ସୂଚନା ଦେଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ଆମେ ମିଳିତ ଭାବରେ ଲଢିବୁ ବୋଲି ଖୋଦ ଅମରିନ୍ଦର କହିଛନ୍ତି । ଟୁଇଟରରେ ଏହି ସମ୍ବନ୍ଧରେ ସୂଚନା ଦେଇ ଅମରିନ୍ଦର ଏକ ପୋଷ୍ଟ କରିଛନ୍ତି। ପଞ୍ଜାବରେ ହେବାକୁ ଥିବା ଆଗାମୀ ବିଧାନସଭାରେ ଏହି ମେଣ୍ଟ କେଉଁ ଭଳି ପ୍ରଭାବ ପକାଇବ ସେ ନେଇ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛି।












Click it and Unblock the Notifications