ବିଜେଡିକୁ ଟାର୍ଗେଟ କଲେ ବିଜେପି ନେତା ଅରବିନ୍ଦ ଢାଲି, କହିଲେ ଭାଙ୍ଗି ଖଣ୍ଡବିଖଣ୍ଡିତ ହୋଇଯିବ ଦଳ
ବିଜେଡି ଉପରେ ବର୍ଷିଲେ ବିଜେପି ନେତା ଅରବିନ୍ଦ ଢ଼ାଲି।। ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ ପଦ ସହ ଦଳରୁ ଇସ୍ତଫା ଦେଇ ପଦ୍ମ ଶିବିରରେ ସାମିଲ ହେବା ପରେ, ଏବେ ବିଜେପି ନେତା ଦେଇଛନ୍ତି ବଡ ବୟାନ । ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ । ବିଜେଡି ବସା ଖାଲି ହେଇଯିବ । ହେଲେ ବିଜେପି ହେଉଛି ଜାତୀୟ ଦଳ । ଜାତୀୟ ଦଳର କେବେ ବି ବିଲୟ ହୁଏନି ବୋଲି କହିଛନ୍ତି ଅରବିନ୍ଦ ଢାଲି।

ଶୁକ୍ରବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ ଢାଲି କହିଛନ୍ତି ଯେ, ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା । ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି ।
ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ବିଜେଡିରେ ସ୍ୱାଧୀନତା ନାହିଁ । ସେ ମଧ୍ୟ ବିଜେଡିରେ ଅଣନିଶ୍ୱାସୀ ହେଇ ରହିଥିଲେ । ସେ ସମୟରେ ମନ୍ତ୍ରୀ, ଏମଏଲଏ କେହି ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିଲେ । ହେଲେ ଏବେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଅଭିଯୋଗ ଦେଇପାରୁଛନ୍ତି ।
ଅନ୍ୟପଟେ ବିଜେଡିକୁ ବିଜେପି ଭାଙ୍ଗିବା ଓ ମମତା ମହନ୍ତ ବିଜେପିରେ ସାମିଲ ହେବା ପ୍ରଶ୍ନର ଉତ୍ତର ଦେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ, ବିଜେପି ଏହା ଜାଣିଥିଲା । ମମତା ମହନ୍ତ ଇମୋସନାଲ ହେଇ ଇସ୍ତଫା ଦେଇନାହାଁନ୍ତି । ସେ ବିଜେପିରେ ସାମିଲ ହେବେ ବୋଲି ଜଣାପଡୁଥିଲା । ହେଲେ ରାଜ୍ୟସଭାରେ ଏବେ ବି ବିଜେଡି ସାଂସଦମାନେ ଏକତ୍ରିତ ଅଛନ୍ତି ବୋଲି ଦେବୀ ମିଶ୍ର କହିଛନ୍ତି ।












Click it and Unblock the Notifications