ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି: ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ଦେଲା ଦଳ
ଝାରସୁଗୁଡ଼ା: ଉପନିର୍ବାଚନ ପାଇଁ ଆରମ୍ଭ ହେଲାଣି ବିଜେଡିର ସମରସଜ୍ଜା । ଆଗୁଆ ରଣନୀତି ପ୍ରସ୍ତୁତ କରୁଛି ବିଜେଡ଼ି । ଏଥିପାଇଁ ବ୍ଲକ ସ୍ତରରେ ବଡ଼ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।
କୱାରୀ ନେତାଙ୍କୁ ଦାୟିତ୍ୱ ଦେଲା ବିଜେଡ଼ି । ୪ ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟି ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । ବିଜେଡିର ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଏହି ନେତା ମାନେ ବ୍ଲକ ଓ ମ୍ୟୁନିସିପାଲଟି ସ୍ତରରେ ଦଳ ପାଇଁ ରଣନୀତି ପ୍ରସ୍ତୁତ କରିବେ ।

କିରିମିରା ବ୍ଲକ ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଦାୟିତ୍ୱ । କୋଲାବିରା ବ୍ଲକ ପାଇଁ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଓ ବିଧାୟକ ସରୋଜ ମେହେରଙ୍କୁ ଦାୟିତ୍ୱ ଦିଆଯାଇଛି । ଝାରସୁଗୁଡା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିଲା ବେଳେ ଲଇକିରା ବ୍ଲକ ପାଇଁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି । ଝାରସୁଗୁଡା ମୁନସିପାଲଟି ପାଇଁ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ, ମନ୍ତ୍ରୀ ରିତା ସାହୁଙ୍କୁ ଦାୟିତ୍ୱ ମିଳିଛି ।
ସେପଟେ ଆଜି ବିଜେଡିର ବରିଷ୍ଠ ନେତା ଝାରସୁଗୁଡ଼ାରେ କରିଛନ୍ତି ରୁଦ୍ଧଦ୍ୱାର ବୈଠକ । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାରଦା ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ଦଳିଅ ବୈଠକ ଅନୁଷ୍ଠିତ ହୋଇଛି l

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଝାରସୁଗୁଡା ନିର୍ବାଚନମଣ୍ଡଳୀ, ପୌର ପରିଷଦ, ଝାରସୁଗୁଡା ବ୍ଲକ, କୋଲାବିରା, କିରିମିରା ଓ ଲଇକେରା ବ୍ଲକର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦଳର ବିଭିନ୍ନ କାର୍ଯ୍ୟ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଛି ।
ସୂଚନାଥାଉ କି, ଆସନ୍ତା ମେ' ୧୦ ତାରିଖରେ ହେବ ଝାରସୁଗୁଡା ଉପନିର୍ବାଚନ । ମେ' ୧୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏହି ଉପନିର୍ବାଚନ ପାଇଁ ବିଜେଡି ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରୁ ରେକର୍ଡ ହାରରେ ଜିତିବ ବୋଲି ଦଳ ଆଶା ରଖିଛି । ତେବେ ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ପକ୍ଷରୁ ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇ ନାହିଁ ।
ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗରରେ ତତକାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ୍ ଏଏସଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications