ବିଜେଡି କର୍ମୀ ସର୍କିଟ ହାଉସ ଘେରିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ ମିଶ୍ର
ବିଜେଡି କର୍ମୀ ସର୍କିଟ ହାଉସ ଘେରିବା ଘଟଣାରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

ସମ୍ବଲପୁର: ମୋତେ ହତ୍ୟା କରିବାକୁ ଯାଇଥିଲେ ବିଜେଡି ଗୁଣ୍ଡା । ନବ ଦାସ ହତ୍ୟା ନେଇ ମୁଁ କହୁଥିବାରୁ ବିଜେଡି, ସରକାର ଉତକ୍ଷିପ୍ତ । ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡି ଗୁଣ୍ଡା ଯାଇଥିଲେ । ସର୍କିଟ ହାଉସକୁ ଆସିଥିଲେ ମୋତେ ହତ୍ୟା କରିବାକୁ । ବିଜେଡି କର୍ମୀ ସର୍କିଟ ହାଉସ ଘେରିବା ଘଟଣାରେ ଏମିତି କିଛି ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ସେ କହିଛନ୍ତି, ମୋ ଗୋଡ଼ ଭାଙ୍ଗି ଯାଇଥିବାରୁ ମୁଁ ସମ୍ବଲପୁର ସର୍କିଟ ହାଉସରେ କିଛି ଦିନ ହେବ ରହୁଥିଲି। ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡିର ଗୁଣ୍ଡାମାନେ ସେଠାକୁ ଯାଇ ଭଙ୍ଗାରୁଜା କରିଥିଲେ। ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା। ମୋତେ ସେମାନେ ହତ୍ୟା କରିବାକୁ ଆସିଥିଲେ। ମୋତେ ରାସ୍ତାରୁ ହଟାଇବା ପାଇଁ ସରକାର ଦଳ ଚକ୍ରାନ୍ତ ଚଳାଇଛନ୍ତି ।
ଉଲ୍ଲେଖଥାଉ କି, ଗତକାଲି ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣାର ପ୍ରତିବାଦରେ ସମ୍ବଲପୁର ସ୍ଥିତ ସର୍କିଟ ହାଉସକୁ ଘେରିଛନ୍ତି ବିଜେଡି କର୍ମୀ । ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଦାବି କରିଛନ୍ତି ବିଜେଡି କର୍ମୀ ।
ସେପଟେ ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ନେଇ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି । ଜଣେ ମହିଳା ଆଇଆଇସି ଧକ୍କା ଓ ମୁଥ ମାରୁଛନ୍ତି । ଜୟନାରାୟଣ ସୁରକ୍ଷିତ ନୁହନ୍ତି ତେଣୁ ସରକାର ତାଙ୍କୁ ତୁରନ୍ତ ସୁରକ୍ଷା ଦିଅନ୍ତୁ । ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାବାସୀ ଏହାର ଜବାବ ନିଶ୍ଚିତ ଦେବେ ।
ସେହିପରି ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର କହିଛନ୍ତି, ସମ୍ବଲପୁରରେ ଜୟ ନାରାୟଣଙ୍କୁ ନେଇ ଯେଉଁ ଘଟଣା ଘଟିଲା ତାହା ବିଜେଡିର ପ୍ରାୟୋଜିତ। ଜୟ ନାରାୟଣ ମୁଖ୍ୟମନ୍ତ୍ରୀଙ୍କୁ ସବୁ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରୁଛନ୍ତି। ନବ ଦାସ ହତ୍ୟା ମାମଲାରେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଥିପାଇଁ ଜୟନାରାୟଣଙ୍କ ସ୍ୱରକୁ ଦବାଇବାକୁ ସରକାର ଉଦ୍ୟମ କରୁଛନ୍ତି। ତାଙ୍କୁ ବିଧାନସଭାକୁ ପୂରାଇ ନଦେବାକୁ ଏଭଳି କରାଯାଇଛି।
ଅନ୍ୟପଟେ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ବିରୋଧରେ ବିଜେପିର ଆନ୍ଦୋଳନ । ଭୁବନେଶ୍ୱର ରାଜଭବନ ଆଗରେ ବିଜେପିର ନେତା ଓ କର୍ମୀ ବହୁ ସଂଖ୍ୟାରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ଧାରଣାରେ ବିଜେପିର ବହୁ ହେଭିୱେଟ ନେତା ସାମିଲ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ , ପ୍ରତାପ ଷଡ଼ଙ୍ଗୀ , ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା , ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସାଂସଦ ସୁରେଶ ପୂଜାରୀ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କ ମନମୁଖି ଶାସନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜୋରଦାର ବର୍ଷିଛନ୍ତି ।












Click it and Unblock the Notifications