ପୁରୀରେ ବଡ ଧୁମଧାମରେ ପାଳିତ ହେବ ବିଜେଡି ପ୍ରତିଷ୍ଠା ଦିବସ
ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୁରୀରେ ଅନୁଷ୍ଠିତ ହେବ ବିଜେଡି ପ୍ରତିଷ୍ଠା ଦିବସ ।
ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପୁରୀରେ ଅନୁଷ୍ଠିତ ହେବ ବିଜେଡି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ପଡିଆରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ । ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ୫୦ ହଜାରରୁ ଅଧିକ କର୍ମୀ ।

ବିଜେଡିର ପ୍ରତିଷ୍ଠା ଦିବସକୁ ବଡ ଧରଣର ପାଳନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତିଷ୍ଠା ଦିବସ ଅବସରରେ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ୨୬ରେ ଦଳର ପ୍ରତିଷ୍ଠା ଦିବସରେ ବ୍ଲକ ସ୍ତରରୁ ରାଜ୍ୟସ୍ତରର ନେତା ଯୋଗ ଦେବେ । ଏଥିରେ ଦଳର ସବୁ ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ପୌରାଞ୍ଚଳ କର୍ମକର୍ତ୍ତା, ସାଂସଦ ଓ ବିଧାୟକ, କ୍ଷେତ୍ରୀୟ ଜନପ୍ରତିନିଧି, ଯୁବ, ଛାତ୍ର, ମହିଳା ଆଦି କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ଏହି ପୂର୍ତ୍ତି ଉତ୍ସବ ଗୋଟିଏ ପକ୍ଷ ଧରି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ପାଳନ କରାଯିବ। ପ୍ରତିଷ୍ଠା ଦିବସ ସମାରୋହ ବର୍ଷ ତମାମ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକ ବ୍ଲକ୍ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୫ ବର୍ଷର ସମର୍ପିତ ଜନ ସେବାର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧିକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
୨୫ ବର୍ଷରେ ପାଦ ଥାପିବ ବିଜେଡ଼ି:
୧୯୯୭ରେ ଡିସେମ୍ବର ୨୬ରେ ବିଜେଡି ପ୍ରତିଷ୍ଠା ହୋଇଥିଲା । ଆଉ ୨୦୦୦ ମସିହାରେ ପ୍ରଥମଥର ପାଇଁ ସରକାର ଗଢିଥିଲା । ବିଜେପି ସହ ମେଣ୍ଟ କରି ନବୀନଙ୍କ ନେତୃତ୍ୱରେ ସରକାର ଗଢିଥିଲା ବିଜେଡି । ଆଉ ଏହାପରେ ନବୀନଙ୍କ ନେତୃତ୍ୱରେ ପଛକୁ ଫେରିନାହିଁ ବିଜେଡି । ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଓ ପରବର୍ତ୍ତୀ ସମୟରେ ଏକାକୀ ସରକାର ଗଢିବାରେ ସକ୍ଷମ ହୋଇଛି ବିଜେଡି । ଲଗାତାର ୫ଥର ପାଇଁ ସରକାର ଗଢିଛି ବିଜେଡି । ଏପରିକି ୨୦୨୪ରେ ଷଷ୍ଠ ଥର ପାଇଁ ପୁଣିଥରେ ଶାସନ ଗାଦିରେ ବସିବାକୁ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି ଦଳ । ତୃଣମୂଳସ୍ତରରେ ସଙ୍ଗଠନ ସୁଦୃଢ କରିବା ସହ ମିଶନ ୧୨୫ ଲକ୍ଷ୍ୟ ନେଇ ଆଗକୁ ବଢୁଛି ବିଜେଡି ।
ସେପଟେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଦଳୀୟ କର୍ମୀ, ନେତା ଓ ଜନସାଧାରଣ ଉଦ୍ଦେଶ୍ୟରେ ପତ୍ର ଲେଖିଛନ୍ତି ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଷସାରା ବିଭିନ୍ନ ଉତ୍ସର୍ଗୀକୃତ ଲୋକସେବା ମାଧ୍ୟମରେ ସବୁ ବର୍ଗର ଜନଗଣଙ୍କ ଅଧିକ ନିକଟତର ହୋଇ ଜନସେବାକୁ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ବିଜୁ ବାବୁଙ୍କ ନୀତି, ଆଦର୍ଶ ଓ ଓଡ଼ିଶାର ସବୁ କ୍ଷେତ୍ରର ଓ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଆମ ଦଳର ଆଭିମୁଖ୍ୟକୁ ଓଡ଼ିଶାର ଅଗଣିତ ଜନସାଧାରଣ ଅକୁଣ୍ଠ ସମର୍ଥନ ଓ ଶୁଭେଚ୍ଛା ଦେଇଛନ୍ତି। ଦଳର କର୍ମକର୍ତ୍ତା, ଜନପ୍ରତିନିଧି, ଗାଁରୁ ସହର ତଥା ବସ୍ତି ଯାଏ ଲୋକଙ୍କ ସେବାରେ ନିୟୋଜିତ କର୍ମୀ, ଆଗୁଆ ସାଥୀମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ମନୋଭାବ ଆଜି ବିଜେଡିକୁ ଲୋକଙ୍କ ନିକଟତର କରିଛି। ଲଗାତର ବିଭିନ୍ନ ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଥିବା ଆସ୍ଥା ପ୍ରମାଣିତ ହୋଇଛି। ୨୫ ବର୍ଷ ଧରି ଲୋକଙ୍କ ସେବା ଓ ଓଡ଼ିଶାର ବିକାଶ କରି ଆସୁଥିବା ଏହି ଦଳ ରାଜନୈତିକ କାର୍ଯ୍ୟକ୍ରମ ସହିତ ତା'ର ସାମାଜିକ ଅଙ୍ଗୀକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳଗୁଡ଼ିକ ଭିତରେ ବିଜେଡିକୁ ଏକ ପ୍ରଶଂସନୀୟ ପରିଚିତି ଆଣି ଦେଇଛନ୍ତି। ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି।












Click it and Unblock the Notifications