ଆସନ୍ତା ୨୬ରେ ବିଜେଡି଼ର ସିଲଭର ଜୁବଲି
ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡ଼ି ପାଳିବ ନିଜର ୨୫ତମ ପ୍ରତିଷ୍ଠା ଦିବସ । ଏହି ଦିନକୁ ଧୂମଧାମରେ ପାଳନ କରିବାକୁ ବିଜେଡି଼ ବ୍ୟାପକ ଆୟୋଜନ କରୁଛି । ଦଳ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ହୋଇଥିବାରୁ ବ୍ୟାପକ ଭାବେ ଏହାକୁ ପାଳନ କରିବାକୁ ପ୍ରସ୍ତୁତି କରାଯାଉଛି ।
ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୬ ତାରିଖରେ ବିଜେଡ଼ି ପାଳିବ ନିଜର ୨୫ତମ ପ୍ରତିଷ୍ଠା ଦିବସ । ଏହି ଦିନକୁ ଧୂମଧାମରେ ପାଳନ କରିବାକୁ ବିଜେଡି଼ ବ୍ୟାପକ ଆୟୋଜନ କରୁଛି । ଦଳ ପ୍ରତିଷ୍ଠାର ରୌପ୍ୟ ଜୟନ୍ତୀ ହୋଇଥିବାରୁ ବ୍ୟାପକ ଭାବେ ଏହାକୁ ପାଳନ କରିବାକୁ ପ୍ରସ୍ତୁତି କରାଯାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହର ପୁରୀର ତାଳବଣିଆଠାରେ ଏକ ବିଶାଳ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରତିଷ୍ଠା ଦିବସକୁ ବେଶ୍ ଆଡ଼ମ୍ବରପୂର୍ଣ୍ଣ ଶୈଳୀରେ ପାଳନ କରାଯିବ । ପ୍ରାୟ ଏକ ଲକ୍ଷ କର୍ମୀ ଓ ନେତା ଏହି ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସରେ ସାମିଲ ହେବା ନିମନ୍ତେ ଦଳ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ପୂରା ବର୍ଷେ ରାଜ୍ୟ ବିଭିନ୍ନ ସ୍ଥାନରେ ବିଜେଡି ପାଳିବ ପ୍ରତିଷ୍ଠା ଉତ୍ସବ । ବ୍ଲକରୁ ଜିଲ୍ଲାସ୍ତରରେ ପାଳନ କରାଯିବ ଉତ୍ସବ । ଏହି ସମୟ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିକାଶ ବିଜେଡିର ମନ୍ତ୍ର ହୋଇଥିବାରୁ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଦଳୀୟ ନେତା ଓ କର୍ମୀ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର, ଗରିବଙ୍କ ସମସ୍ୟା ବୁଝିବା ସହ ଏହାର ସମାଧାନ ପାଇଁ ବାଟ ବାହାର କରିବା ଭଳି କାର୍ଯ୍ୟକ୍ରମ କରାଯିବ ।
ମିଳିଥିବା ସୂଚନା ଅନୁସାରେ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରୁ ୫୦ରୁ ୬୦ହଜାର କର୍ମୀ ଓ ରାଜ୍ୟର ଅନ୍ୟ ଭାଗରୁ ବାକି ୪୦ହଜାର କର୍ମୀଙ୍କୁ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ବିଶେଷକରି ଦଳର ବ୍ଲକସ୍ତରୀୟ ନେତାଙ୍କ ସମେତ ପ୍ରତ୍ୟେକ ପଂଚାୟତରୁ ଆଗଧାଡ଼ିର କର୍ମୀମାନଙ୍କୁ ପୁରୀକୁ ଆଣିବାକୁ ଦଳ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ବରିଷ୍ଠ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ଆବଂଟନ ସହ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାରୋହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ । ଦଳର ବିଭିନ୍ନ ଛାମୁଆ ସଂଗଠନକୁ ମଧ୍ୟ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦାୟିତ୍ୱ ଆବଂଟନ ହୋଇଥିବା ଜଣାପଡ଼ିଛି ।
ଦଳ ଏହି ପ୍ରତିଷ୍ଠା ଦିବସ ଅବସରରେ ଗତ ୨୫ବର୍ଷ ଧରି ବିଜେଡି ସହ ରହିଥିବା ବରିଷ୍ଠ ନେତାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ସେମାନଙ୍କର ଅବଦାନକୁ ପ୍ରଶଂସା କରାଯିବାକୁ ନିଷ୍ପତ୍ତି ହୋଇଛି । ଦଳ ଏହି କାର୍ଯ୍ୟକ୍ରମରେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେତେକ ରାଜନୀତିକ ପ୍ରସ୍ତାବ ପାରିତ କରିବ ବୋଲି ସୂଚନା ମିଳିଛି।












Click it and Unblock the Notifications