ଦିଲ୍ଲୀରେ ଅଟକିଛି ଓଡ଼ିଶାର ଭାଗ୍ୟ; କନଫ୍ୟୁଜ ହେଉଛନ୍ତି ସାଧାରଣ ଭୋଟର, କେବେ ଆସିବ ସ୍ପଷ୍ଟ ଚିତ୍ର ?
ଦିଲ୍ଲୀରେ ଅଟକିଛି ଓଡ଼ିଶାର ଭାଗ୍ୟ । କଣ ହେବ ମେଣ୍ଟ କଥା । ନେତାଙ୍କଠୁ ଅଧିକ ବ୍ୟଗ୍ର ଭୋଟର । କଣ ହେବ ରାଜ୍ୟ ରାଜନୀତିର ଭାଗ୍ୟ । କୁଆଡେ ଯିବ ବିଜେପି । ନା ହେବ କିଛି ଅଲଗା । ରାଜ୍ୟର ମେଣ୍ଟ ଚର୍ଚ୍ଚା ଏବେ ଗାଁର ସେଲୁନଠୁ ଆରମ୍ଭ ହୋଇ ଚା ଦୋକାନ ପର୍ଯ୍ୟନ୍ତ । ଲୋକେ କହିବାକୁ ବସିଲେଣି ଆଉ କିଛି କହି ହେଉନି । କଣ ହେବ କେଜାଣି । ସେପଟେ ମେଣ୍ଟ ନେଇ କିଛି ସ୍ପଷ୍ଟତା ଆସୁନାହିଁ । ଆଉ ଦଳ ଡିଆଁ ବି ଚାଲିଛି । ସାମାଜିକ ଗଣମାଧ୍ୟମ, ଆଉ ୱାଟସଆପ ୟୁନିଭରସିଟି ସାଧାରଣ ଜନତାକୁ ଅଧିକ ବ୍ୟଥିତ କରୁଛି । ତାହା ସହ ଦଳୀୟ ପୋଷ୍ଟ , ଲୋକଙ୍କୁ ଅଧିକ କନଫ୍ୟୁଜ କରୁଛି ।
ଏହାର ଭିତରେ ଗତକାଲି ସୂଚନା ଅନୁସାରେ, ମେଣ୍ଟ ନେଇ ଆଜି ସ୍ପଷ୍ଟତା ଆସିପାରେ । ଗତକାଲି ରାଜ୍ୟ ନେତୃତ୍ୱଙ୍କ ସହ ଅଧରାତି ପର୍ଯ୍ୟନ୍ତ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅମିତ ଶାହ ଆଲୋଚନା କରିବା ସହ ପ୍ରତି ନିର୍ବାଚନମଣ୍ଡଳୀର ସ୍ଥିତି ବୁଝିଥିବା କୁହାଯାଉଛି ।
ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୋମବାର ରାତି ୨ଟା ପର୍ଯ୍ୟନ୍ତ ମଧ୍ୟ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ନେତୃତ୍ୱ ।

ଏପଟେ ଉଭୟ ବିଜେପି ଓ ବିଜେଡି ରାଜ୍ୟରେ ନିର୍ବାଚନୀ ପ୍ରସ୍ତୁତି ଜାରି ରଖିଛନ୍ତି । ବିଜେପି କୋର୍ କମିଟି ବୈଠକ ଓ ନିର୍ବାଚନ କମିଟି ବୈଠକ କରି ଟିକେଟ୍ କସରତ ସାରିଥିବା ବେଳେ ରିପୋର୍ଟ ଦିଲ୍ଲୀ ପଠାଯାଇଛି। ଅନ୍ୟପଟେ ବିଜେଡି ମଧ୍ୟ ସଂସଦୀୟ କ୍ଷେତ୍ର ଅନୁଯାୟୀ ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିବା ସହ ଟିକେଟ ବଣ୍ଟନ ନେଇ ପ୍ରକ୍ରିୟା ବି ଆରମ୍ଭ କରିଛି ।
ପୁରୀ, କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ନେତାଙ୍କୁ ଡାକି ବୈଠକ ନେଇଥିଲେ ସୁପ୍ରିମୋ। ଦ୍ୱନ୍ଦ ଦୂର ହୋଇନଥିଲେ ବି ଆଗକୁ ସମୀକରଣ ଯାହା ବି ହେଉ ତାକୁ ଆଖି ଆଗରେ ରଖି ଉଭୟ ଦଳ କସରତ ଚଳାଇଛନ୍ତି। କିନ୍ତୁ ଏବେ ବି ମେଣ୍ଟ ନେଇ ସ୍ପଷ୍ଟ ଚିତ୍ର ଆସିନାହିଁ।
ସବୁ ଭିତରେ ଅପେକ୍ଷା ରହିଛି ବିଜେପିର ପରବର୍ତ୍ତୀ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ। ତୃତୀୟ ପର୍ଯ୍ୟାୟ ତାଲିକା ସାମ୍ନାକୁ ଆସିବା ପରେ କିଛି ସ୍ପଷ୍ଟ ହୋଇପାରେ।
ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । କିନ୍ତୁ ୨୬୭ ଆସନ ମଧ୍ୟରୁ ଓଡିଶାର କୌଣସି ଆସନ ପାଇଁ ନାଁ ନଥିଲା । ତେଣୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶାର କୌଣସି ନେତାଙ୍କ ନାଁ ଘୋଷଣା ହେଉଛି କି ଆହୁରି ବିଳମ୍ବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଖୁବ ଶୀଘ୍ର ଏଥିରେ ସ୍ପଷ୍ଟତା ଆସିପାରେ ।












Click it and Unblock the Notifications