ଭୁବନେଶ୍ୱର ଉତ୍ତର ବିଧାନସଭା କ୍ଷେତ୍ର; ଗଡ଼ ରଖିପାରିବ ତ ବିଜେପି ? ଅଙ୍କ ବିଗାଡ଼ିବେ କି ପ୍ରିୟଦର୍ଶୀ
ବିଧାନସଭା ନିର୍ବାଚନ 2024: ଜୋରଦାର ଜମିଲାଣି ନିର୍ବାଚନୀ ମୈଦାନ । ନେତା ଓ କର୍ମୀ ସଭାସମିତି କରି ଭୋଟରଙ୍କ ସମର୍ଥନ ହାତେଇବାକୁ ବଳ କଷୁଛନ୍ତି । ଓଡ଼ିଶାର 2024 ବିଧାନସଭା ନିର୍ବାଚନ ବେଶ୍ ରୋଚକ ସ୍ଥିତିରେ ପହଞ୍ଚିଛି । ନେତାଙ୍କ ଦଳ ବଦଳ ସାଙ୍ଗକୁ ଦେଖିବାକୁ ମିଳୁଛି କଡ଼ା ମୁକାବିଲା । ଦଳମାନେ ଆମଦାନୀ ନେତା ଉପରେ ବେଶୀ ଭରସା କରୁଥିବା ଦେଖିବାକୁ ମିଳୁଛି ।
ଏଭଳି ଏକ ଆସନ ହେଲା ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ବିଧାନସଭା କ୍ଷେତ୍ର ହେବା ଦିନ ଠାରୁ ବିଜେଡ଼ି ଏହାକୁ ନିଜର ଗଡ଼ ଭାବେ ରଖିଆସିଛି । 2009 ଠାରୁ ବିଜେଡି ବାରମ୍ବାର ଜିତୁଛି । କିନ୍ତୁ ଏଥର ଏହି ଆସନରେ ନିର୍ବାଚନ ରୋଚକ ମୋଡ଼ ନେଇଛି । ବିରୋଧୀ ମେଳିରେ ସାମିଲ ହୋଇଛନ୍ତି ଶାସକ ଦଳରେ ପୁରୁଣା ବିଧାୟକ । 2014 ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିବା ପ୍ରିୟଦର୍ଶୀ ମିଶ୍ର ଏଥର ବିଜେପି ପ୍ରାର୍ଥୀ । ତେଣୁ ଏହି ଆସନ ଉପରେ ରାଜନୈତିକ ବିଶେଷଜ୍ଞଙ୍କ ଖାସ୍ ଧ୍ୟାନ ରହିଛି ।

ଚଳିତ 2024 ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଜେଡି ବର୍ତ୍ତମାନର ବିଧାୟକ ସୁଶାନ୍ତ ରାଉତଙ୍କୁ ପୁଣି ଥରେ ଟିକେଟ୍ ଦେଇଛି । ସେହିପପରି କଂଗ୍ରେସରୁ ଅଶୋକ ଦାସ ଓ ବିଜେପିରୁ ପ୍ରିୟଦର୍ଶୀ ମିଶ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପ୍ରିୟଦର୍ଶୀ ପୂର୍ବରୁ ବିଜେଡିରୁ ବିଧାୟକ ଥିଲେ । କିନ୍ତୁ ଗତ 2019 ନିର୍ବାଚନରେ ତାଙ୍କୁ ଟିକେଟ ମିଳିନଥିଲା । ଦଳ ତାଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କରି ବସାଇ ଦେଇଥିଲା । ମାତ୍ର ନବାଗତ ସୁଶାନ୍ତ ରାଉତଙ୍କୁ ପ୍ରଥମ ଥର ଟିକେଟ ଦେଇଥିବା ସତ୍ତ୍ୱେ ସେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଲୋକପ୍ରୟିତା ଯୋଗୁଁ ବିଜୟୀ ହୋଇଥିବା ଚର୍ଚ୍ଚା ହୋଇଥିଲା ।
2019 ରେ ଟିକେଟ୍ ନ ପାଇ ମଧ୍ୟ ପ୍ରିୟଦର୍ଶୀ ନିଜର ସମାନ୍ତରାଳ ସଂଗଠନ ଜାରି ରଖିଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ପୂଜା ପର୍ବାଣିରେ ଲୋକଙ୍କ ସହ ସାମିଲ୍ ହେଉଥିଲେ । ଏହାସହ 2014 ରୁ 2019 ପର୍ଯ୍ୟନ୍ତ ବିଧାୟକ ରହିଥିବାରୁ ପ୍ରିୟଦର୍ଶୀଙ୍କର ନିଜସ୍ୱ ସଂଗଠନ ରହିଛି । ଏଥର ପୁଣି ବିଜେଡି ତାଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ମଧ୍ୟ ହୋଇଛନ୍ତି ।
ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ମଧ୍ୟ ନବାଗତ ହୋଇଥିଲା ବେଳେ ତାଙ୍କର ସାଂଗଠନିକ ସ୍ଥିତି ସେତେଟା ସୁଦୃଢ଼ ନଥିବା କୁହାଯାଉଛି ।
ଗତଥର ଭୁବନେଶ୍ୱର ଉତ୍ତରରୁ ଅଭିନେତ୍ରୀ ଅପରାଜିତା ମହାନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ହୋଇ 45 ହଜାର 779 ଖଣ୍ଡ ଭୋଟ ପାଇଥିଲେ । ବିଜେଡିରୁ ସୁଶାନ୍ତ ରାଉତ 71 ହଜାର 193 ଖଣ୍ଡ ଭୋଟ ପାଇଥିଲେ । ବିଜେଡି ଓ ବିଜେପି ମଧ୍ୟରେ ଭୋଟ ବ୍ୟବଧାନ 25 ହଜାର ପରେ ରହିଥିଲ । ମାତ୍ର ଚଳିତ ଥର ପ୍ରିୟଦର୍ଶୀ ବିଜେଡିକୁ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି । ପ୍ରିୟଦର୍ଶୀଙ୍କର ନିଜସ୍ୱ ସାଂଗଠନିକ ଭୋଟ 10 ହଜାରରୁ ଅଧିକ ଥିଲା ବେଳେ ଏହାକୁ ହିସାବକୁ ନେଲେ ବିଜେଡି ଓ ବିଜେପି ମଧ୍ୟ ହାରଜିତ୍ର ବ୍ୟବଧାନ ମାତ୍ର 2-3 ହଜାର ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଉଛି । ତେଣୁ ବିଧାନସଭା ନିର୍ବାଚନରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ପ୍ରିୟଦର୍ଶୀ ମିଶ୍ରଙ୍କର ପଲା ଭାରି ଥିବା କୁହାଯାଉଛି












Click it and Unblock the Notifications