ଗଡ଼ ରକ୍ଷା କରିପାରିବେ ତ ସନା ? କଣ ରହିଛି ଚମ୍ପୁଆ ନିର୍ବାଚନୀ ମାହୋଲ୍...
କେନ୍ଦୁଝର: ଜିଲ୍ଲାର ସବୁଠାରୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଚମ୍ପୁଆ । କେବଳ କେନ୍ଦୁଝର ନୁହଁ, ସାରା ରାଜ୍ୟର ନଜର ଏହି ନିର୍ବାଚନମଣ୍ଡଳୀ ଉପରେ ରହିଥାଏ । ଦିନ ଥିଲା ବିଜେଡ଼ି ଏହି ଆସନକୁ ଲଗାତାର ଦୁଇ ଥର ହାତେଇ ଥିଲା । କନ୍ତୁ ପରବର୍ତ୍ତୀ ସମୟରେ ଭୋଟର୍ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଭରସା କରିବା ଆରମ୍ଭ କରିଥିଲେ । ପୁଣି ବିଜେଡ଼ି ଗତ 2019 ନିର୍ବାଚନରେ ଏହି ଆସନକୁ ଦଖଲକୁ ଆଣିଛି ।
ଚଳିତ ବର୍ଷର ନିର୍ବାଚନ ମଧ୍ୟ ବେଶ୍ ରୋତକ ହେବ ବୋଲି ଆଶା କରାଯାଉଛି । ତିନି ପ୍ରମୁଖ ଦଳ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ତିନିଦଳ ଅଭିଜ୍ଞ ଓ ପୁରୁଖାଙ୍କୁ ମୈଦାନକୁ ଛାଡ଼ିଥିବାରୁ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି । ଚମ୍ପୁଆରେ ବିଜେଡି ସନାତନ ମହାକୁଡ଼ଙ୍କୁ ପ୍ରାର୍ଥୀ କରିଛି । 2014 ରେ ସନାତନ ଏହି ଆସନରୁ ସ୍ୱାଧୀନ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । କିନ୍ତୁ 2019 ରେ ସେ ନିର୍ବାଚନ ଲଢ଼ି ନଥିଲେ । ତାଙ୍କ ସୁପାରିସରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମୀନାକ୍ଷୀ ମହାନ୍ତ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ ।

ଏହ ପରେ ଚଳିତ ନିର୍ବାଚନରେ ସନାତନ ନିଜେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିବାରୁ ତାଙ୍କ ସମର୍ଥକମାନେ ବେଶ୍ ଉତ୍ସାହିତ ଅଛନ୍ତି ।
ସେହିପରି କଂଗ୍ରେସ ଏହି ଆସନରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ମଧ୍ୟ ପୂର୍ବରୁ ସାଂସଦ ଓ ବାପା ଧନୁର୍ଜୟ ଲାଗୁରୀ ମଧ୍ୟ ବିଧାୟକ ଥିଲେ । ଏକ ରାଜନୈତିକ ପରିବାରର ବ୍ୟକ୍ତି ଭାବେ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଯଶୋବନ୍ତଙ୍କ ପରିଚୟ ରହିଛି । ଏମିତିକି ଚମ୍ପୁଆ ବ୍ଲକ୍ରେ ତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ଥିବାବେଳେ ଚମ୍ପୁଆ ଏନ୍ଏସିରେ ମଧ୍ୟ ତାଙ୍କର ଦବଦବା ରହିଛି । ଯଶୋବନ୍ତ ଏଠାରେ ବିଜେଡି ପ୍ରାର୍ଥୀ ସନାତନଙ୍କୁ କଡ଼ା ଟକ୍କର ଦେବେ ବୋଲି ଅନୁମାନ କରାଯାଉଛି ।
ଅପରପକ୍ଷରେ ବିଜେପି ଏଠାରେ ମୁରଲୀ ମନୋହର ଶର୍ମାଙ୍କୁ ଫିଲ୍ଡିଂ କରାଇଛି । ମୁରଲୀ 2019 ରେ ନିର୍ବାଚନରେ ପ୍ରାର୍ଥୀ ହୋଇ ଭଲ ଭୋଟ ପାଇଥିଲେ । ଏଥର ବିଜେପି ଶେଷ ମୁହୂର୍ତ୍ତରେ ତାଙ୍କ ନାମ ଘୋଷଣା କରିଛି । ମୁରଲୀଙ୍କ ଅଭିଜ୍ଞତା ଏଠାରେ କାମ କରିବ ବୋଲି କୁହାଯାଉଛି । ସନାତନ ଯୋଡ଼ା ଅଞ୍ଚଳର ହୋଇଥିବାବେଳେ ଯଶୋବନ୍ତ ଚମ୍ପୁଆ ଓ ମୁରଲୀ ହେଉଛନ୍ତି ବଡ଼ବିଲ ଅଞ୍ଚଳର ବାସିନ୍ଦା । ସ୍ଥାନୀୟ ଅଞ୍ଚଳର ଭାବାବେଗକୁ ନେଇ ଭୋଟ ପଡ଼ିବ ବୋଲି କୁହାଯାଉଛି । ତେଣୁ ଚମ୍ପୁଆରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି












Click it and Unblock the Notifications