ରାଜ୍ୟରେ ଗୋଟିଏ ଆସନରେ ଲାଲ୍ ପତାକା, ଗଡ଼ ଭେଦିପାରିଲେନି ବିଜେଡ଼ି-ବିଜେପି
Bonai Assembly: ରାଜ୍ୟରେ ନିର୍ବାଚନ ଫଳାଫଳ ଆସି ସାରିଛି । ଏହା ପରେ ବିଜେଡ଼ିର 25 ବର୍ଷ ଶାସନର ଯବନିକା ପଡ଼ିଛି । ବହୁମତ ପାଇ ରାଜ୍ୟରେ ନୂଆ ସରକାର ଗଢିବା ନେଇ ପ୍ରସ୍ତୁତ ହେଉଛି ବିଜେପି । ସମସ୍ତଙ୍କ ନଜର ରାଜ୍ୟର ଫଳାଫଳ ଉପରେ ରହିଥିବା ବେଳେ ଗୋଟିଏ ଆସନରେ ଆସିଛି ରୋଚକ ଫଳାଫଳ ।

ରାଜ୍ୟ ମାନଚିତ୍ରର ଅନେକ ସ୍ଥାନରେ ବିଜେଡ଼ି, ବିଜେପି ଏବଂ କଂଗ୍ରେସର ବିଜୟୀ ସ୍ଥାନ ରହିଥିବା ବେଳେ ଗୋଟିଏ ଆସନରେ ରହିଛି ଲାଲ ପତାକା । ଏହି ଆସନ ହେଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆସନ । ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୟୀ ହୋଇଛନ୍ତି ବାମପନ୍ଥୀ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେଡ଼ି ଟିକେଟରୁ ଲଢିଥିବା ଭୀମସେନ ଚୌଧୁରୀଙ୍କୁ 23 ହଜାର 439 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।
ଚଳିତ ନିର୍ବାଚନରେ ବିଜୟୀ ସହ ଲକ୍ଷ୍ମଣ ମୁଣ୍ଡା ଏଯାଏଁ ଚତୁର୍ଥ ଥର ପାଇଁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ରାଜ୍ୟର 14 ନମ୍ବର ବିଧାନସଭା ନିର୍ବାଚନମଣ୍ଡଳୀ ତଥା ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବିଧାନସଭା ନିର୍ବାଚନମଣ୍ଡଳୀ 'ବଣାଇ' ଅନୁସୂଚିତ ଜନଜାତି ପାଇଁ ଆରମ୍ଭରୁ ସଂରକ୍ଷିତ ।
ଏହି ଆସନରେ ଏବେ ବି ବାମପନ୍ଥୀର ଦବଦବା ରହିଛି । 1951 ନିର୍ବାଚନରେ ଏହାର ପ୍ରଥମ ବିଧାୟକ ଭାବେ ନୀଳମଣି ସିଂ ଦଣ୍ଡପାଟ (ଗଣ ପରିଷଦ) ନିର୍ବାଚିତ ହୋଇଥିଲେ । 1951 ରୁ 2019 ପର୍ଯ୍ୟନ୍ତ ହୋଇଥିବା ମୋଟ୍ 16 ଥର ବିଧାନସଭା ସାଧାରଣ ନିର୍ବାଚନରେ ଏହି ଆସନରୁ 3 ଥର କଂଗ୍ରେସ, 4 ଥର ବିଜେପି, 2 ଥର ଗଣ ପରିଷଦ, ଥରେ ଗଣତନ୍ତ୍ର ପରିଷଦ, ଥରେ ଜନତା ପାର୍ଟି, 2 ଥର ସ୍ୱାଧୀନ ଓ 3 ଥର ସିପିଆଇଏମ୍ ପ୍ରାର୍ଥୀ ବିଜୟୀ ହୋଇ ବିଧାନସଭାକୁ ଯାଇଛନ୍ତି । ହେଲେ ବିଜେଡି ଏ ପର୍ଯ୍ୟନ୍ତ ବଣାଇ ମାଟିରେ ଖାତା ଖୋଲିବାରେ ସମର୍ଥ ହୋଇନାହିଁ ।












Click it and Unblock the Notifications