ଓଡ଼ିଶାର ରାଜନୀତିରେ ଓଡ଼ିଆ ଅସ୍ମିତା ବନାମ ବିକାଶ ବିରୋଧୀ
Assembly Elections 2024: ସାରା ରାଜ୍ୟରେ ନିର୍ବାଚନୀ ତାତି । ଗାଁ ରୁ ସହର ଚାଡ଼ିଆଡ଼େ ନେତା ଓ କର୍ମୀଙ୍କ ଭିଡ଼ । ରାଲି, ସମାବେଶ ଓ ପ୍ରଚାରରେ ଜୋରଦାର ଲାଗିପଡ଼ିଛନ୍ତି ନେତା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶାସକ ଓ ବିରୋଧୀ ମଧ୍ୟରେ କଥାକଟି ଓ ତୁତୁ ମେଁମେଁ ଏହି ମାହୋଲରୁ ଆହୁରି ଖୋରାକ୍ ଯୋଗାଉଛି । ଏହି ସବୁ ମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚୁଛି ଦଳର ନିର୍ବାଚନୀ ପ୍ରସଙ୍ଗ ।
ରାଜ୍ୟରେ ଗତ ସମସ୍ତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନ ସମ୍ପୂର୍ଣ୍ଣ ନିଆରା ଭଳି ଦେଖାଯାଉଛି । ବିରୋଧୀ ଦଳ ଫୁଲ୍ ଜୋଶ୍ ରେ ସରକାରଙ୍କୁ ସମାଲୋଚନ କରୁଥିବା ବେଳେ ଶାସକ ଦଳ ନିଜର ସଫଳତା ବଖାଣି ଭୋଟରଙ୍କୁ ନିଜ ପକ୍ଷରେ ବାନ୍ଧି ରଖିବାକୁ ପ୍ରୟାସ ଜାରି ରଖିଛନ୍ତି । ଏଥି ମଧ୍ୟରେ ମୁଣ୍ଡ ଟେକିଛି ପ୍ରସଙ୍ଗଭିତ୍ତିକ ରାଜନୀତି ।
ଗତ କିଛି ଦିନ ପୂର୍ବରୁ 2024 ନିର୍ବାଚନ ଓଡ଼ିଶାରେ ଦିଶାହୀନ ହୋଇ ପଡ଼ିଥିବା ବେଳେ ଏବେ ଦୁଇ ପ୍ରମୁଖ ଦଳକୁ ମିଳିଯାଇଛି ପ୍ରସଙ୍ଗ । ଓଡ଼ିଆ ଭାଷା ଓ ଅସ୍ମିତା ବନାମ ବିକାଶ ବିରୋଧୀ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟର ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି । ଓଡ଼ିଆ ଭାଷା ଓ ଅସ୍ମିତାକୁ ପ୍ରସଙ୍ଗ କରି ଲଢ଼େଇ ଆରମ୍ଭ କରି ଦେଇଛି ବିଜେପି । ଅପରପକ୍ଷରେ ବିକାଶବିରୋଧୀ କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ । ଏହି ସବୁ ମଧ୍ୟରେ ଓଡ଼ିଆ ଭାଷା ଓ ଅସ୍ମିତାକୁ ବଡ଼ ପ୍ରସଙ୍ଗ କରି ଭୋଟର ପାଖକୁ ଯିବାକୁ ଯୋଜନା କରିଛି ବିଜେପି । ଏପଟେ ବିରୋଧୀଙ୍କୁ ବିକାଶର ବାଧକ ଆଖ୍ୟା ଦେଇଛି ବିଜେଡି ।

ସବୁଠୁ ବଡ଼ କଥା ହେଉଛି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ 'ଓଡ଼ିଆ ଭାଷା ଓ ଅସ୍ମିତା' ସଙ୍କଟରେ ପଡ଼ିଥିବା ନେଇ ମତ ଦେଇଛନ୍ତି । ଏହା ପରେ ରାଜ୍ୟ ବିଜେପି ଏହାକୁ ବଡ଼ ପ୍ରସଙ୍ଗ କରିଛି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୋନପୁର ଗସ୍ତ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜ୍ୟ ବିଜେପିକୁ ବଳ ଯୋଗାଇଛି । ଜେପି ନଡ୍ଡା ବ୍ରହ୍ମପୁର ସମାବେଶରେ ରାଜ୍ୟର ଶାସକ ଦଳ ବିଜେଡି ବିରୋଧରେ ଖୁବ ବର୍ଷି ଓଡିଶାରେ ଓଡିଆ ନେତାଙ୍କ ଅଭାବ ରହିଛି କି ? ଓଡ଼ିଶା ମାଟିର ପୁଅକୁ ନେତା ଭାବରେ ଚାହୁଁନାହଁ କି ? ଆପଣଙ୍କ ରାଜ୍ୟରେ ଶାସନ କରିବା ପାଇଁ ଆପଣ ବାହାରୁ ଲୋକକୁ ଆମଦାନୀ କରିବାକୁ ଚାହୁଁଛନ୍ତି କି ? ସାବଧାନ ରୁହନ୍ତୁ, ବାହାର ଲୋକଙ୍କୁ ନିଜର ନେତା କରିବାକୁ ଚେଷ୍ଟା କରାଯାଉଛି । ଏପରି କରି ବିରୋଧୀ ଅଣ ଓଡ଼ିଆଙ୍କ ରାଜୁତି ପ୍ରସଙ୍ଗକୁ ଉଜ୍ଜୀବିତ କରିଛନ୍ତି ।
ଏହା ସହ ବିଜେଡ଼ି ମଧ୍ୟ ଏହାର କଡ଼ା ଜବାବ ଦେଇଛି । ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାର ଓ ସ୍ଥାନୀୟ କିମ୍ବଦନ୍ତୀମାନଙ୍କୁ ସମ୍ମାନୀତ କରିବା ଦିଗରେ ବିଜେପି ସରକାରର ସର୍ବନିମ୍ନ ପ୍ରୟାସକୁ ଦର୍ଶାଇଛି ବିଜେଡ଼ି । ଏହା ସହ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ବିଜେଡି ମୁଖପାତ୍ର । ଧର୍ମେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ଯଦି ସତ ସାହାସ ଅଛି ତେବେ ଦାୟିତ୍ୱ ନେବା ପରଠାରୁ ଆଇଓସିଏଲରେ କେତେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ଦେଇଛ, ତାହାର ଉତ୍ତର ଦେବାକୁ ଧର୍ମେନ୍ଦ୍ରଙ୍କୁ ଆହ୍ବାନ ଦେଇଛନ୍ତି । ଏହାସହ ଓଡିଶା ପାଇଁ କେତେ ସିଏସଆର ଫଣ୍ଡ ଦେଇଛ ? ପଦ୍ମ କାହିଁକି ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ।
ବିଜେପି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନେଇ ନାରା ଦେଉଥିବା ବେଳେ ବିଜେଡିର ସ୍ଲୋଗାନ ରହିଛି 'ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ନବୀନ ଇଞ୍ଜିନ' । ଏହା କେବେ ଫେଲ୍ ମାରେ ନାହିଁ । ସେହିପରି ଆୟୁଷ୍ମାନ ଭାରତ ଓଡ଼ିଶାରେ କାହିଁକି ଲାଗୁ ହେଉନାହିଁ ବୋଲି ବିଜେପି ପ୍ରଶ୍ନ କରୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛି ବିଜେଡି । ସେହିପରି ରୂପାନ୍ତରଣ ନେଇ ବିଜେପି ପ୍ରଶ୍ନ ଉଠାଉଥିବା ବେଳେ ଜାତୀୟ ରାଜପଥର ଦୂରାବସ୍ଥାକୁ ପ୍ରସଙ୍ଗ କରିଛି ବିଜେଡି ।
ତେବେ 24 ବର୍ଷର ନବୀନ ସରକାର ଉପରେ ଭୋଟର ଭରସା କରିବେ ନା ବିଜେପିର ଏହି ଓଡ଼ିଆ ଅସ୍ମିତାକୁ ନେଇ ପ୍ରଭାବିତ ହେବେ ତାହା ଦେଖିବା ବାକି ରହିଲା ।












Click it and Unblock the Notifications