Lok Sabha Election2024: କାହାର ହେବ ଆସିକା ଆସନ? ଗଡ଼ ବଜାୟ ରଖିବ ତ ବିଜେଡି!
Lok Sabha Election2024: ରାଜ୍ୟ ରାଜନୀତିର ବେଶ୍ ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ଆସିକା । ବିଜେଡିର ଗଡ଼ ରହିଆସିଛି ଏହି ଲୋକସଭା ଆସନ । ୧୯୯୮ ରୁ ଶାସକ ଦଳ ଏଠାରେ ନିଜର ଦବଦବା ବଜାୟ ରଖିଛି । ଏକଦା ବିଜୁ ପଟ୍ଟନାୟକ ଏହି ଆସନରୁ ବିଜୟୀ ହୋଇଥିବା ବେଳେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆସନରୁ ନିଜର ରାଜନୀତି ଖଡ଼ି ଛୁଇଁଥିଲେ । ସେବେ ଠାରୁ ଆଜି ଯାଏଁ ବିଜେଡ଼ି ଦଖଲରେ ରହିଆସିଛି ଆସିକା ।

କିନ୍ତୁ ୨୦୨୪ ନିର୍ବାଚନରେ ଦେଖିବାକୁ ମିଳୁଛି କଡ଼ା ମୁକାବିଲା । ବିଜେଡି ଏହି ଆସନରୁ ଯୁବ ଚେହେରା ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଛି । ତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜେପି ଶୁଭଦର୍ଶିନୀଙ୍କୁ ଫିଲ୍ଡିଂ କରାଇଛି । ସେହିପରି କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଦେହକାନ୍ତ ଶର୍ମା । କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳୁଛି । ବିଜେଡି ନିଜ ଗଡ଼ ବଜାୟ ରଖିବାକୁ ସମସ୍ତ ବଳ ଲଗାଇଥିବା ବେଳେ ବିଜେପି ଏହି ଆସନକୁ ହାତେଇବାକୁ ଲକ୍ଷ୍ୟ ରଖିଛି । ନବୀନ ଏହି ଆସନରୁ ରାଜନୀତି ଆରମ୍ଭ କରିଥିବାରୁ ବିଜେଡ଼ି ଏଠାରେ ସମ୍ମାନର ଲଢେଇ ଲଢୁଛି । କିନ୍ତୁ ଶାସକ ଦଳକୁ ଚେକ୍ ଦେବାକୁ ସମସ୍ତ ପ୍ରକାର ରଣନୀତି ଆପଣେଇଛି ବିରୋଧୀ ବିଜେପି ।
ବିଜେଡି-ବିଜେପି ମାରାଥନ ପ୍ରଚାର
ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ଆସନ ଥିବା ଆସିକାକୁ ବିଜେଡି ନିଜ ହାତରୁ ଖସାଇବାକୁ ଚାହୁଁନାହିଁ । ନିଜ ଗଡ଼ ଲକ୍ଷା କରିବାକୁ ଏଠାରେ ଜୋରଦରା କରିଛି ପ୍ରଚାର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର କରିଛନ୍ତି । ଏହା ସହ ଏଠାକାର ପ୍ରାର୍ଥୀ ରଞ୍ଜିତା ସାହୁ ସମସ୍ତ ବିଧାନସଭା କ୍ଷେତ୍ର ବୁଲି ବିଧାୟକ ପ୍ରାର୍ଥୀଙ୍କ ସହ ଭୋଟ୍ ମାଗୁଛନ୍ତି ।
ଅପରପକ୍ଷରେ ବ୍ରହ୍ମପୁର ଜିଲ୍ଲାରେ ଏହି ଆସନ ଉପରେ ଫୋକସ୍ କରିଛି ବିଜେପି । ଦଳ ଏତର ପଦ୍ମ ଫୁଟାଇବା ପାଇଁ ଜୋରଦାର ପ୍ରୟାସ କରୁଛି । ଦଳର କେନ୍ଦ୍ର ନେତୃତ୍ୱ ଘନ ଘନ ଗସ୍ତ କରିବା ସହ ଶାସକ ଦଳକୁ ଟାର୍ଗେଟ୍ କରୁଛନ୍ତି । ନବୀନଙ୍କ ହୋମଗ୍ରାଉଣ୍ଡରେ ତାଙ୍କୁ ସିଧା ଆଟାକ୍ କରିଛନ୍ତି ବିଜେପିର ହେଭିଓ୍ବେଟ୍ । ବ୍ରହ୍ମପୁର ସଭାରେ ମୋଦି ବିଜେଡିର ଏକ୍ସପାରୀ ତାରିଖ ଘୋଷଣା ସହ ଅନିତାଙ୍କ ପାଇଁ ଭୋଟ୍ ମାଗିଥିଲେ । ବୁଧବାର ସୋରଡାରେ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି ଅମିତ ଶାହା । ଅନିତାଙ୍କ ପାଇଁ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିଛନ୍ତି ।
ଗଡ଼ ରଖିବାକୁ ବିଜେଡ଼ିର କାଉଣ୍ଟର ଆଟାକ୍
ନବୀନ ମଧ୍ୟ ନିଜେ ପ୍ରତାର କରି ଆସିକା ସମାବେଶରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବିରୋଧୀ ମିଛ କହିବା ସହ କୁମ୍ଭୀର କାନ୍ଦଣା କାନ୍ଦୁଥିବା ନବୀନ କହିଛନ୍ତି । ନବୀନଙ୍କ ରାଜନୈତିକ ଯାତ୍ରା ଆସିକାରୁ ଆରମ୍ଭ ହୋଇଥିଲା, ବିକାଶ ଧାରା ଏବେବି ଜାରି ରହିଥିବା ବିଜେଡି କହିଛି । ବିଏସକେଓ୍ବାଇରୁ ମହିଳା ସଶକ୍ତିକରଣ, ନବୀନଙ୍କ ବିକାଶମୂଳକ ଯୋଜନା ନେଇ ଯୋଡି ଶଙ୍ଖରେ ମୋହର ମାରିବାକୁ କହିଛନ୍ତି ନବୀନ ।
କଣ ରହିବ ବିଦ୍ରୋହୀଙ୍କ ଭୂମିକା !
ଆସିକା ବିଜେଡିରେ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ଥିବା କୁହାଯାଉଛି । କବିସୂର୍ଯ୍ୟନଗର ହେଉ କି ଖଲ୍ଲିକୋଟ ଅନ୍ତଃକନ୍ଦଳ ରହିଛି । କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ବିରୋଧ କରୁଥିଲେ । ତାଙ୍କ ଝିଅ ରଞ୍ଜିତାଙ୍କୁ ସାଂସଦ ପ୍ରାର୍ଥୀ କରି ହର ସାହୁଙ୍କୁ ବିଜେଡି ମ୍ୟାନେଜ କରିଥିବା କୁହାଯାଉଛି। ଖଲ୍ଲିକୋଟରେ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପୁଣି ପ୍ରାର୍ଥୀ କରିବା ନିଷ୍ପତ୍ତିକୁ ବିରୋଧ କରି ଦଳ ଛାଡିଛନ୍ତି ଅନେକ ନେତା ଓ କର୍ମୀ । ସେହିପରି ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁଙ୍କୁ ମଧ୍ୟ ବିରୋଧ କରାଯାଇଛି। ତେଣୁ ଆସିକାରେ ବିଜେଡି ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି ବିଦ୍ରୋହୀ।
କିନ୍ତୁ ବିଜେଡି ନେତା ହରପ୍ରସାଦ ସାହୁଙ୍କ ଝିଅ ରଞ୍ଜିତା ସାହୁଙ୍କୁ ଆସିକାରୁ ପ୍ରାର୍ଥୀ କରିଛି ବିଜେଡି । ହର ସାହୁଙ୍କର ଆସିକା ଅଞ୍ଚଳରେ ଭଲ ସଂଗଠନ ରହିଛି । ସେପଟେ ପୁଣି ଥରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ଋାମକୃଷ୍ଣ ପଟ୍ଟନାୟକଙ୍କ ଝିଅ ଅନିତା ଶୁଭଦର୍ଶିନୀ। ଗତଥର ଦ୍ୱିତୀୟ ସ୍ଥାନରେ ଥିବା ଅନିତା ୩ଲକ୍ଷରୁ ଅଧିକ ଭୋଟ୍ ପାଇଥିଲେ। ପ୍ରମିଳା ବିଷୋୟୀଙ୍କୁ ଭଲ ଫାଇଟ୍ ଦେବା ସହ ବିଜେପିର ଭୋଟ୍ ପର୍ସେଣ୍ଟେଜ୍ ୨୬ପ୍ରତିଶତରୁ ଅଧିକ ବଢାଇଥିଲେ। ତେଣୁ ଏଥର ଟକ୍କର ରଞ୍ଜିତା ଓ ଅନିତାଙ୍କ ମଧ୍ୟରେ ହେବ ବୋଲି କୁହାଯାଉଛି। ୨୦୧୯ରେ କଂଗ୍ରେସ ପ୍ରାର୍ଥୀ ନଦେଇ ସିପିଆଇ ପ୍ରାର୍ଥୀ ରାମକୃଷ୍ଣ ପଣ୍ଡାଙ୍କୁ ସମର୍ଥନ ଦେଇଥିଲା । ଏଥର ଯୁବ ଚେହେରା ଦେବକାନ୍ତ ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛି କଂଗ୍ରେସ । ତେବେ କେବଳ ସାନଖେମୁଣ୍ଡିକୁ ଛାଡିଦେଲେ ବାକି ୬ଟି ବିଧାନସଭା କ୍ଷେତ୍ରରେ ବିଜେଡି ଖାତାକୁ ଯାଇଥିଲା । ତେବେ ଏହି ଭୋଟ୍ ରହିବ ନା ଭୋଟର ମନ ପରିବର୍ତ୍ତନ କରିବେ ତାହା ବି ଦେଖିବା ବାକି ରହିଲା ।
ବିଜେଡିର ବଳ ହିଞ୍ଜିଳି!
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଆସିକା ସଂସଦୀୟ କ୍ଷେତ୍ର ଅଧୀନରେ ରହିଛି । ତେଣୁ ଆସିକା ଲଢେଇରେ ନବୀନ ହିଁ ବଡ ଫ୍ୟାକ୍ଟର । ସେ ଏହି ଆସନରୁ ବାରମ୍ବାର ଜିତିଆସୁଛନ୍ତି । ତେଣୁ ଏଠାକାର ସିଂହଭାଗ ଭୋଟ୍ ବିଜେଡ଼ି ଖାତାକୁ ଯିବା ଆକଳନ କରାଯାଉଛି । ଯାହାକି ଆସିକା ଲୋକସଭା ଆସନ ପାଇଁ ବଡ଼ ବଳ ସାଜିଥାଏ । ଏହି ଭୋଟ୍ କୁ ନିଜ ପକ୍ଷରେ ରଖିପାରିଲେ ବିଜେଡ଼ି ପାଇଁ ଲଢେଇ ସାମାନ୍ୟ ଆଶ୍ୱସ୍ତ ହୋଇପାରେ ।
ଆସିକା ନିର୍ବାଚନ ମଣ୍ଡଳୀର ସମସ୍ତ ୭ଟି ବିଧାନସଭା ଆସନ ଗଞ୍ଜାମ ଜିଲ୍ଲାର । ଆସିକା ଲୋକସଭା କ୍ଷେତ୍ର ଅଧିନରେ ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ସିଟ୍ ରହିଛି । ଗତଥର କେବଳ ସାନଖେମୁଣ୍ଡି ଛାଡି ବାକି ସବୁ ଆସନରେ ଶଙ୍ଖ ନିଜର ବିଜୟ ବାନା ଉଡ଼ାଇଥିଲା । ଏହି ୬ ଆସନକୁ ପୁଣି ବିଜେଡି ନିଜ ଖାତାରେ ରଖିବାରେ ସକ୍ଷମ ହେବ ନା ବିଜେପି କିଛି ଆସନରେ ପଦ୍ମ ଫୁଟାଇବ ତାହା ଉପରେ ଆସିକା ଲୋକସଭା ଆସନର ଭାଗ୍ୟ ନିର୍ଭର କରୁଛି ।












Click it and Unblock the Notifications