ସଙ୍କଟରେ ମହାରାଷ୍ଟ୍ର ମେଣ୍ଟ ସରକାର! ଏହି ନେତା ନା କ୍ୟାବିନେଟ୍ ବୈଠକରେ ଦେଲେ ଯୋଗ ନା ଗଲେ ଦିଲ୍ଲୀ
ମହାରାଷ୍ଟ୍ର: ପୁଣି ସଙ୍କଟରେ ମହାରାଷ୍ଟ୍ର ମେଣ୍ଟ ସରକାର । ଶିବସେନା, ଏନସିପି ଏବଂ ବିଜେପିରେ ମିଳିତ ଭାବେ ଗଠନ ହୋଇଥିବା ରାଜ୍ୟ ସରକାରରେ ଅନେକ ପରିବର୍ତ୍ତନ ଦେଖିବା ପାଇଁ ମିଳୁଛି । ବର୍ତ୍ତମାନ ଦଳରେ ଆଉ ଏକ ବିବାଦ ସୃଷ୍ଟି ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାର କାରଣ ହେଉଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ।
ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା କାରଣରୁ ଗତକାଲି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଯୋଗ ଦେଇନଥିଲେ । ହେଲେ ସେ ସନ୍ଧ୍ୟାରେ ମୁମ୍ବାଇରେ ଥିବା ନିଜ ସରକାରୀ ବାସଭବନରେ ଏନସିପି ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା କରିଥିଲେ।

ଏନସିପି ନେତା ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଲ ଏବଂ ସଞ୍ଜୟ ବନସୋଡେ ମଧ୍ୟ ଏହି ବୈଠକରେ ଯୋଗ ଦେବା ପାଇଁ ଅଜିତ ପାୱାରଙ୍କ ବାସଭବନରେ ପହଞ୍ଚିଥିଲେ । ଅଜିତ ପାୱାର କ୍ୟାବିନେଟ ବୈଠକରେ ଯୋଗ ନଦେଇ ମନ୍ତ୍ରୀ ଓ ବିଧାୟକଙ୍କ ସହ ବୈଠକ ଡାକିବା କାରଣରୁ ଅନେକ କଳ୍ପନାଜଳ୍ପନା କରାଯାଉଛି।
ସେହିପରି ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତା ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ରାତିରୁ ଉଭୟ ଦିଲ୍ଲୀ ଅଭିମୁଖେ ଯାତ୍ରାରେ ବାହାରିଥିବା ନେଇ ଖବର ରହିଛି । ହେଲେ ଅଜିତ୍ ପାୱାର୍ ଦିଲ୍ଲୀ ଗସ୍ତରେ ଯାଇ ନଥିବାରୁ ନେଇ ବର୍ତ୍ତମାନ ପୁଣି ଚର୍ଚ୍ଚା ଜୋର ଧରିଛି ।
ପାୱାରଙ୍କ ଅନୁପସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି, ପାୱାର୍ ଅସୁସ୍ଥ ଥିବାରୁ ପାର୍ଟି ବୈଠକରେ ଯୋଗ ଦେଇପାରି ନାହାଁନ୍ତି । ଏହାର ଅନ୍ୟ କୌଣସି ଅର୍ଥ ବାହାର କରିବା ଅନୁଚିତ୍ । ହେଲେ ଏହାକୁ ସମାଲୋଚନା କରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲୋ । ସେ କହିଛନ୍ତି, ବର୍ତ୍ତମାନ ହନିମୁନ୍ ପିରିୟଡ୍ ସରି ନାହିଁ ହେଲେ ମେଣ୍ଟ ସରକାରରେ ଫାଟ୍ ଦେଖିବା ପାଇଁ ମିଳିଲାଣି ।












Click it and Unblock the Notifications