5T ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ନବୀନ; କହିଲେ- ଆପଣଙ୍କ ସୁଖଦୁଃଖ ବୁଝିବାକୁ ମୁଁ ତାଙ୍କୁ ପଠାଇଛି...
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତକୁ ବିରୋଧ କରିଛନ୍ତି ବିରୋଧୀ । ଏନେଇ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି ।
ନବୀନଙ୍କ ଏକ ଅଡିଓ ରେକର୍ଡିଂକୁ ଖୋଦ୍ 5T ସଚିବ ଭିକେ ପାଣ୍ଡିଆନ ଆଜି ବରଗଡ଼ ଜିଲ୍ଲାରେ ମିଶନ ଶକ୍ତି ମା'ମାନଙ୍କୁ ଭେଟିବାବେଳେ ନିଜ ଫୋନରୁ ବଜାଇ ଶୁଣାଇଛନ୍ତି । ସେ ଲୋକଙ୍କ ସୁଖଦୁଃଖ ବୁଝିବାକୁ ତାଙ୍କ ସଚିବ ପାଣ୍ଡିଆନ୍ ବାବୁଙ୍କୁ ପଠାଇଥିବା କହିଛନ୍ତି । ଲୋକଙ୍କ ସବୁ ପ୍ରକାର ସମସ୍ୟାର ସମାଧାନ ପାଇଁ ଆପଣମାନଙ୍କ ପାଖକୁ ପାଣ୍ଡିଆନ ବାବୁଙ୍କୁ ପଠାଇଛି ବୋଲି ନବୀନ ନିଜ ବାର୍ତ୍ତାରେ କହିଛନ୍ତି ।

ତେବେ ଅଡିଓ କ୍ଲିପଟିକୁ ଠିକ୍ ଭାବେ ଶୁଣିବା ପାଇଁ ଦୁଇଦୁଇ ଥର ବଜାଇ ଶୁଣାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଏହି ଅଡି଼ଓ କ୍ଲିପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "ଆପଣଙ୍କ ସୁଖଦୁଃଖ ବୁଝିବା ପାଇଁ ମୁଁ ମୋ ସଚିବଙ୍କୁ ପଠାଇଛି । ଆପଣମାନେ ଭଲ କାମ କରନ୍ତୁ । ମୁଁ ସାହାଯ୍ୟ କରିବି ।" ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଦୁଇ ପଦ କଥା ପରେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବା ସ୍ପଷ୍ଟ ହୋଇଛି ଏବଂ ଏହା ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ ବୋଲି ଚର୍ଚ୍ଚା ହେଉଛି ।
ସୂଚନାଥାଉ କି, ଦୁଇ ଦିନିଆ ବରଗଡ଼ ଗସ୍ତରେ ରହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଅତାବିରା ସରଣ୍ଡାରୁ ସେ ଗସ୍ତ ଆରମ୍ଭ କରିଛନ୍ତି । ଦୁଇ ଦିନିଆ ଗସ୍ତ ସମୟରେ ଜିଲ୍ଲାର ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀ ବୁଲିବା ସହ ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରିବେ ।
ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି : @Naveen_Odisha pic.twitter.com/bqw4ubh9q1
— Swayam Prakash (@swayam4Odisha) June 26, 2023
ସେପଟେ 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛି କଂଗ୍ରେସ । ବାସ୍ତବରେ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ? ସଚିବ ବିଭିନ୍ନ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତଠାରୁ ଅଧିକ ଭଲ ଆୟୋଜନ କରାଯାଉଛି । ସରକାରୀ କାମ ପାଇଁ ଲୋକପ୍ରତିନିଧିଙ୍କୁ ନିୟୋଜିତ ନ କରି ଜଣେ ସଚିବଙ୍କୁ କିପରି ନିୟୋଜିତ କରାଯାଉଛି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ସେହିପରି 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ପୋଲିସ ସୁରକ୍ଷାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପୋଲିସ ଡିଜିଙ୍କୁ ପ୍ରଶ୍ନ କରିଛନ୍ତି । ଯଦି ଜଣେ ସଚିବଙ୍କ ପାଇଁ ଏତେ ସୁରକ୍ଷା ବ୍ୟବସ୍ଥା, ତେବେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପାଇଁ କ'ଣ ସୁରକ୍ଷା ବ୍ୟବସ୍ଥା ରହିବ ? ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ସେହିପରି ସମ୍ବାଦର ସମ୍ପାଦକ ତଥା ବିଜେଡ଼ି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘର ହାଲଚାଲରେ 'ଅପରାଜିତାଙ୍କ ଅଡୁଆ ପ୍ରଶ୍ନ' ନେଇ କମ୍ପନ ସୃଷ୍ଟି ହୋଇଛି ।












Click it and Unblock the Notifications