Get Updates
Get notified of breaking news, exclusive insights, and must-see stories!

ବିଜେଡ଼ି @୨୫: ବୟସ ବଢୁଛି, ତଥାପି ଅପରାଜେୟ

ବିଜେଡି଼କୁ ୨୫ ପୂରି ୨୬ ଚାଲିଲା । ଆଜି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ ରାଜ୍ୟସ୍ତରୀୟ ସମାବେଶ । ମଞ୍ଜ ଉପରକୁ ଆସି ଭାଷଣ ଦେଇଛନ୍ତି ଖୋଦ୍ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ।

BJD Foundation Day 2022: ବିଜେଡି଼କୁ ୨୫ ପୂରି ୨୬ ଚାଲିଲା । ଆଜି ପ୍ରତିଷ୍ଠା ଦିବସ । ପୁରୀ ତାଳବଣିଆ ଠାରେ ଆୟୋଜିତ ବିଶାଳ ରାଜ୍ୟସ୍ତରୀୟ ସମାବେଶ । ମଞ୍ଜ ଉପରକୁ ଆସି ଭାଷଣ ଦେଇଛନ୍ତି ଖୋଦ୍ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ରୁ ୫୦ ହଜାର କର୍ମୀ ଓ ନେତାଙ୍କ ସମାଗମ ହୋଇଛି ।

ତେବେ ୧୯୯୭ ମସିହା ଡିସେମ୍ବର ୨୬ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଗଠନ ହୋଇଥିଲା ବିଜୁ ଜନତା ଦଳ । ସେଥିପାଇଁ ରୌପ୍ୟ ଜୟନ୍ତୀ ସମାରୋହ ଶ୍ରୀକ୍ଷେତ୍ରରେ ପାଳନ କରାଯାଉଛି । ମାତ୍ର ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ବୟସ ବଢୁଛି, ତଥାପି ଅପରାଜେୟ କେମିତି ବିଜେଡ଼ି ?

25 Years Journey of BJD

ଯଦି ରାଜ୍ୟ ରାଜନୀତିର ଇତିହାସ ଫର୍ଦକୁ ଓଲଟାଇ ଦେଖିବା ତେବେ ଓଡ଼ିଶାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଦଳ ତୁଳନାରେ ବିଜେଡି ହିଁ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛି । ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ଗଢ଼ାଯାଇଥିବା ଏହି ଆଞ୍ଚଳିକ ଦଳ ୨୫ ବର୍ଷ ଭିତରେ ଅନେକ ରେକର୍ଡ ସୃଷ୍ଟି କରିଛି । ଦଳର ବୟସ ଯେତେ ବଢ଼ୁଛି, ନିର୍ବାଚନୀ ରାଜନୀତିରେ ସେତିକି ଅଧିକ ସଫଳତା ସାଉଁଟି ଚାଲିଛି । ଦେଶରେ ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏହା ଏକ ବଡ଼ ଉପଲବ୍ଧି । ତେବେ ଏହି ସଫଳତା କେବଳ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୁର୍ତ୍ତୀ ବା ବ୍ରାଣ୍ଡ ନବୀନ ପାଇଁ ସମ୍ଭବ ହୋଇପାରିଛି ବୋଲି ଚର୍ଚ୍ଚା ହୁଏ ।

ନବୀନଙ୍କ ରଣନୀତି:

ତେବେ ବିଗତ ୨୨ ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନ କେବଳ ବିପର୍ଯ୍ୟୟ ପରିଚାଳନାରେ ନୁହେଁ । ବରଂ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରି ସଫଳ ହୋଇଛନ୍ତି । ବିଶେଷକରି ମହିଳା ସଶକ୍ତୀକରଣ କ୍ଷେତ୍ରରେ ନବୀନଙ୍କ ବିଭିନ୍ନ ଯୋଜନା ଫଳବତୀ ହେବା ସହ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ରାଜ୍ୟରେ ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ବାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ ଏବଂ ସମୟୋଚିତ ସେବା ଯୋଗାଣ ସହିତ ବିଶେଷକରି ଗରିବ, ଦଳିତ, କୃଷକ, ମହିଳା ଓ ଯୁବଗୋଷ୍ଠୀର କଲ୍ୟାଣ ସାଧନ ତାଙ୍କ ଶାସନର ମୁଖ୍ୟ ଉଦ୍ଦେଶ୍ୟ ଏବଂ ସେ ଏହାର ମାର୍ଗଦର୍ଶକ ସାଜିଛନ୍ତି ।

ନବୀନ ବାବୁଙ୍କ ଶାସନର ଉପଲବ୍ଧିର ଆକଳନ ମାତ୍ର କେତୋଟି ଶାସନ ନୀତି ଓ ପ୍ରଶାସନ ରଣନୀତିକୁ ଲକ୍ଷ୍ୟ କଲେ ସ୍ପଷ୍ଟ ହୁଏ । 'ଓଡ଼ିଶା ମୋ ପରିବାର', 'ମାଆଙ୍କୁ ସମ୍ମାନ ଗାଁକୁ କାମ', 'ପ୍ରତ୍ୟେକଟି ଜୀବନ ମୂଲ୍ୟବାନ', 'ବିପର୍ଯ୍ୟୟ ନିୟନ୍ତ୍ରଣରେ ଶୂନ୍ୟ ଜୀବନ ହାନି', 'କୃଷି ଓ କୃଷକ ସଶକ୍ତୀକରଣ ପାଇଁ କାଳିଆ' ଓ 'ମିଲେଟ୍‌‌ ମିଶନ୍‌‌', ଗରିବଙ୍କୁ ସହାୟତା 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା', 'ମୋ ସରକାର', ଲୋକମୁଖୀ ଶାସନ ନୀତି -'୫-ଟି', 'ଶ୍ରୀମନ୍ଦିର ପରିକ୍ରମା', 'ଅଭଡ଼ା ପ୍ରକଳ୍ପ' ଓ 'ଏକାମ୍ର ବିକାଶ ଯୋଜନା' ଆଦି।

ବିଜେଡ଼ିର ୨୫ବର୍ଷର ଯାତ୍ରା:

୧୯୯୭ ମସିହାରେ ଗଠନ ହେଲା ବିଜେଡି । ୨୦୦୦ ମସିହାରେ ପ୍ରଥମ ଥର ନବୀନଙ୍କ ନେତୃତ୍ବରେ ବିଜେଡି ସାଧାରଣ ନିର୍ବାଚନକୁ ସାମ୍ନା କରିଥିଲା । ସେତେବେଳେ ବିଜେପି ସହ ମେଣ୍ଟ କରି ବିଜେଡି ନିର୍ବାଚନକୁ ଓହ୍ଲାଇଥିଲା । ପ୍ରଥମ ପଦାର୍ପଣରେ ଦଳର ପ୍ରଦର୍ଶନ ବେଶ୍ ଉତ୍ସାହଜନକ ଥିଲା । ୭୨ଟି ଆସନ ଦଖଲ କରିଥିଲା ବିଜେଡି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ସଭାପତି ନବୀନ ପଟ୍ଟନାୟକ । ୨୦୦୪ରେ ପୁଣି ବିଜେଡି-ବିଜେପି ମେଣ୍ଟ କ୍ଷମତା ଦଖଲ କଲା । ବିଜେଡି ୨୦୦୦ ମସିହା ତୁଳନାରେ ସିଟ୍ ସଂଖ୍ୟା କମିଥିଲେ ବିଧାନସଭାରେ ବିଜେଡିର ଆସନ ଥିଲା ସର୍ବାଧିକ । ପୁଣି ଥରେ ଶାସନର ମଙ୍ଗ ଧରିଲେ ନବୀନ ।

ତେବେ ୨୦୦୯ରେ ବିଜେପି ହାତ ଛାଡ଼ିଦେଲା ବିଜେଡି । ଆଉ ମେଣ୍ଟ ନୁହେଁ । ପ୍ରଥମ ଥର ପାଇଁ ଏକାକୀ ୧୪୭ ଆସନରେ ଲଢ଼ିଲା ବିଜେଡି । ଫଳାଫଳ ବି ଥିଲା ଆଶାତୀତ। ୧୦୭ ସିଟ୍ ଦଖଲ କଲା ଦଳ । ତୃତୀୟ ଥର ପାଇଁ ନବୀନ ଓଡ଼ିଶାର ଶାସନର ମଙ୍ଗ ଧରିଥିଲେ ।

ଏହା ପରଠାରୁ ସବୁ ନିର୍ବାଚନରେ ବିଜେଡିର ସଫଳତା ସମସ୍ତଙ୍କୁ ଚମକାଇ ଦେଇଛି । ସବୁ ନିର୍ବାଚନରେ କୌଣସି ରାଜନୈତିକ ଅଙ୍କ ନବୀନଙ୍କ ରଣନୀତି ପାଖରେ କାମ କରୁ ନାହିଁ । ପଞ୍ଚାୟତ, ପୌର ଠାରୁ ଆରମ୍ଭ କରି ଲୋକସଭା ଓ ବିଧାନସଭା ଯାଏ, ସବୁଥିରେ ନବୀନଙ୍କ ରଣନୀତି ସଫଳତା ପାଉଛି। ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି, ସରଳତା ଓ ଦୁର୍ନୀତି ବିରୋଧୀ କଡ଼ା ଆଭିମୁଖ୍ୟ ହିଁ ବିଜେଡି ପାଇଁ ସବୁଠାରୁ ବଡ଼ ପୁଞ୍ଜି ପାଲଟିଯାଇଛି । ପ୍ରତ୍ୟେକ ନିର୍ବାଚନରେ ନବୀନଙ୍କ ଭାବମୂର୍ତ୍ତିକୁ ଆଗରେ ରଖି ବିଜେଡି ନେତାମାନେ ନିର୍ବାଚନ ଲଢ଼ୁଛନ୍ତି । ଆଉ ସାଧାରଣ ଜନତା ଗଭୀର ଆସ୍ଥା ସ୍ଥାପନ କରୁଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା ଆହୁରି ବଢ଼ିଲା। ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନବୀନ ଓଡ଼ିଶା ରାଜନୀତିରେ ମାଇଲଖୁଣ୍ଟ ସ୍ଥାପନ କଲେ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ କ୍ଷମତା ଦଖଲ କଲା। ଆସନ ସଂଖ୍ୟା ପୂର୍ବ ୪ ଥର ଅପେକ୍ଷା ଆହୁରି ବଢ଼ିଲା । ବିଜେଡି ପାଇଥିବା ଆସନର ପାଖାପାଖି ମଧ୍ୟ ରହିପାରୁ ନାହାନ୍ତି ମୁଖ୍ୟ ବିରୋଧୀ ଦଳ । ନିରଙ୍କୁଶ କ୍ଷମତା ପାଇ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲେ ନବୀନ। ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ଦେଶର କିଛି ହାତଗଣତି ନେତାଙ୍କ ତାଲିକାରେ ନବୀନଙ୍କ ନାମ ରହିଲା ।

୨୦୩୬ରେ ଓଡ଼ିଶା ତାହାର ସ୍ଥାପନାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ । ୨୦୨୪ ନିର୍ବାଚନ ସେ ଦୃଷ୍ଟିରୁ ଏହି ପ୍ରସ୍ତୁତି ପାଇଁ ଏକ ଏକ ବିଶେଷ ପ୍ରବେଶ ସୋପାନ ସୃଷ୍ଟି କରିବ। ଓଡ଼ିଶାକୁ ନିଜ ପରିବାର ଭଳି ଦୃଷ୍ଟିରେ ଦେଖୁଥିବା ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱ ଆଗାମୀ ବର୍ଷମାନଙ୍କରେ ଦଳକୁ ସଠିକ ମାର୍ଗରେ ପରିଚାଳିତ କରିବାକୁ ଦିଗ୍‌‌ଦର୍ଶନ ଦେବା ଇତିମଧ୍ୟରେ ଆରମ୍ଭ କରିଦେଇଛି । ଏବେଠାରୁ ୨୦୨୪ ଓ ପରବର୍ତ୍ତୀ କାଳଖଣ୍ଡର ସମୀକ୍ଷା ତଥା ରଣନୀତି ବିମର୍ଶ ଏହାର ଦୃଢ଼ ସୂଚନା ଦିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+