ଟ୍ରକ୍ ଚଢି ଯୁବକଙ୍କ ମୃତ୍ୟୁ, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକ
କେନ୍ଦୁଝର: ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ମୃତ୍ୟୁ । ଗାଡ଼ି ଚକା ତଳେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି । ଆଖି ପିଛୁଳାକେ ଶରୀର ଖଣ୍ଡ ବିଖଣ୍ଡିତ ହୋଇଗଲା । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ସଦର ଥାନା ବାଂଶପାଳ ବ୍ଲକ ଅଧୀନ ଏକ ଘରୋଇ ପ୍ଲାଣ୍ଟ ନିକଟରେ । ମୃତକ ହେଲେ ସ୍ଥାନୀୟ ବିନିନ୍ଦା ଗ୍ରାମର ସନ୍ତୋଷ ଦେହୁରୀ । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ଗତ ରାତିରେ ଦ୍ରୁତ ଗତିରେ ଆସୁଥିବା ଏକ 14 ଚକିଆ ଟ୍ରକ୍ ରାୟଗୋଡା ପଞ୍ଚାୟତ ସ୍ଥିତ ଏକ ଘରୋଇ ପ୍ଲାଣ୍ଟ ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ । ଉତ୍ତ୍ୟକ୍ତ ଲୋକ ଟ୍ରକଟିରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଟ୍ରକ୍ ଡ୍ରାଇଭରଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି ।
ଖବର ପାଇ ପୁଲିସ୍ ଘଟଣାସ୍ଥଳେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଉତ୍ତେଜନା କମିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।












Click it and Unblock the Notifications