ରାଜ୍ୟରେ କମୁଛି ଶୀତ ଲହରୀ, ବଢୁଛି କୁହୁଡ଼ି
ଭୁବନେଶ୍ୱର: କିଛି ଦିନ ଧରି ଶୀତ ଲହରୀ ଲାଗି ରହିବା ପରେ ଏବେ କମିଛି ଥଣ୍ଡା ପ୍ରକୋପ । ରାତିର ତାପମାତ୍ରା ବଢିବାରେ ଲାଗିଛି । ଉପକୂଳ ଠାରୁ ଉପାନ୍ତ ଚାରିଆଡ଼େ ଥଣ୍ଡା ସାମାନ୍ୟ କମିଛି । ଗତ ରାତିରେ ରାଜ୍ୟର 3 ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ଯାହାକି 2 ଦିନ ପୂର୍ବେ ରାଜ୍ୟର 8ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହୁଥିଲା ।
କୋରାପୁଟରେ 7 ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ଦାରିଙ୍ଗବାଡ଼ି ତାପମାତ୍ର 8.5 ଡିଗ୍ରୀ ଓ ସିମିଳିଗୁଡ଼ାର ତାପମାତ୍ରା 9 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହାବାଦ ଫୁଲବାଣୀ ସହରର ତାପମାତ୍ରା 10 ଡିଗ୍ରୀ ରେକର୍ଡ କରାଯାଇଛି ।

ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ହୋଇଛି । 2 ଦିନ ପୂର୍ବେ କଟକ ଓ ଭୁବନେଶ୍ୱର ତାପମାତ୍ରା 16 ଡିଗ୍ରୀ ଥିବା ବେଳେ ଏବେ ଏଥିରେ ବୃଦ୍ଧି ହୋଇଛି । ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା 16.5 ଡିଗ୍ରୀ ଥିବା ବେଳେ ଭୁବନେଶ୍ୱରର ତାପମାତ୍ରା 16.89 ଡିଗ୍ରୀ ରେକର୍ଡ କରାଯାଇଛି ।
ଏହାବାଦ ସୁନ୍ଦରଗଡ଼ ତାପମାତ୍ରା 11 ଡିଗ୍ରୀ ଥିବା ବେଳେ ରାଉରକେଲାରେ 13.8, କେନ୍ଦୁଝରରେ 12.2, ଭଦ୍ରକରେ 17.2, ଯାଜପୁରରେ 17.5, କେନ୍ଦ୍ରାପଡ଼ାରେ 14.8, ଜଗତସିଂହପୁର ତାପମାତ୍ରା 15 ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ପୁରୀର ତାପମାତ୍ରା 19.2 ଡିଗ୍ରୀ ଥିବା ବେଳେ ନୟାଗଡ଼ରେ ତାପମାତ୍ରା 15.2, ଖୋର୍ଦ୍ଧାରେ 17.5, ବୌଦ୍ଧରେ 11, ଦେବଗଡ଼ରେ 12.5, ବାଲେଶ୍ୱରରେ 17.3, ବାରିପଦାରେ 14.5, ନବରଙ୍ଗପୁରରେ 11.6, ରାୟଗଡ଼ାରେ 15.8, ମାଲକାନଗିରିରେ 15.4, ଅନୁଗୁଳରେ 11 ଡିଗ୍ରୀ, ନୂଆପଡ଼ାରେ 13 ଡିଗ୍ରୀ ରେକର୍ଡ କରାଯାଇଛି ।
ସେପଟେ କୁହୁଡି ଯୋଗୁଁ କିଛି କିଛି ସ୍ଥାନରେ ରାସ୍ତା ଦୃଶ୍ୟମାନ ହେଉନଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ, ପୁରୀ, ନୟାଗଡ଼, କୋରାପୁଟ, ବଲାଙ୍ଗୀର, ଯାଜପୁର, ଅନୁଗୁଳ, କଳାହାଣ୍ତି, କନ୍ଧମାଳ, ଗଞ୍ଜାମ, ବାଲେଶ୍ୱର, ଖୋର୍ଦ୍ଧା, ଗଜପତି, କେନ୍ଦ୍ରାପଡ଼ା ଆଦି ସ୍ଥାନରେ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରା ଯାଇଛି । ରାଉରକେଲା ଓ ଫୁଲବାଣୀରେ ଦୃଶ୍ୟମାନ ଦୂରତା 50 ମିଟର ରହିଥିଲା ।












Click it and Unblock the Notifications