ବିଧାନସଭାରେ କୋଶଳୀ ଭାଷାରେ ପ୍ରଶ୍ନ ଉତ୍ତର; ପ୍ରଶ୍ନ କଲେ ବିରୋଧୀ, ଜବାବ ରଖିଲେ ଶାସକ ଦଳ
ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଶ୍ନକାଳରେ ମୁହାମୁହିଁ ହୋଇଥିଲେ ଶାସକ-ବିରୋଧୀ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଶାସକ ବିଜେଡ଼ିକୁ ଘେରିଥିଲା ।

ଦୁଇ ଦିନ ପରେ ଆଜି ବିଧାନସଭାର ପ୍ରଶ୍ନକାଳ ସ୍ୱାଭାବିକ ହୋଇଥିଲା । ପ୍ରଶ୍ନକାଳ ସମୟରେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା । ତେବେ ଆଜିର ପ୍ରଶ୍ନକାଳରେ ବେଶି ରୋଚକ ଥିଲା କୋଶଳୀ ଭାଷାରେ ପ୍ରଶ୍ନ-ଉତ୍ତର ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଲି ଭାଷାରେ ପ୍ରଶ୍ନ କରିଥିବାବେଳେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମଧ୍ୟ କୋଶଳୀ ଭାଷାରେ ଉତ୍ତର ରଖିଥିଲେ । ଶିଳ୍ପ ବିଭାଗର ପ୍ରଶ୍ନୋତ୍ତର କାଳରେ ନରସିଂହ ମିଶ୍ର ବଲାଙ୍ଗୀର ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ଏକ ପ୍ରଶ୍ନ ଉଠାଇଥିଲେ । ସେ କୋଶଳୀରେ ପ୍ରଶ୍ନଟିକୁ ଉପସ୍ଥାପନ କରି ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । କୋଶଳୀରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ରେଢାଖୋଲ ବିଧାୟକ ରୋହିତ ପୂଜାରୀ ମଧ୍ୟ ପ୍ରଶ୍ନ ପଚାରିଥିଲେ ।
ସୂଚନାଯୋଗ୍ୟ, ପୂର୍ବରୁ ନରସିଂହ ମିଶ୍ର କୋଶଳୀ ଭାଷାରେ ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଭାଷା ରେକର୍ଡିଂ ପାଇଁ ସକ୍ଷମ ଜଣେ ଗୃହର ସାମ୍ବାଦିକ ନଥିବାରୁ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହା ସତ୍ତ୍ୱେ ସେ କୋଶଳୀରେ ପ୍ରଶ୍ନ ପଚାରିଥିଲେ ।












Click it and Unblock the Notifications