ବିଧାନସଭା ଶୀତକାଳୀନ ଅଧିବେଶନ, ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଅଧିବେଶନ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି, ପୂର୍ବତନ ଉପ ମନ୍ତ୍ରୀ ସରସ୍ବତୀ ପ୍ରଧାନ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ଅଜୟ କୁମାର ଜେନା, ପୂର୍ବତନ ସଦସ୍ୟ ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର, ୬୨୦ଇ.ଏମ. ଇ. ବାଟାଲିୟନ ସରୋଜ କୁମାର ଦାସ, ପୂର୍ବତନ କନେଷ୍ଟବଳ, ୨୦୬ କୋବ୍ରା ବାଟାଲିୟନ, ବି.ଏସ.ଏଫ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ଉଭୟ ବିଜେପି ଓ କଂଗ୍ରେସ ସମର୍ଥନ କରିଥିଲେ ।

ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ । ଶୋକ ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ସମର୍ଥନ ଜଣାଇଥିଲେ । ଏହାସହ ବିଧାନସଭାରେ ବିବୃତି ରଖୁଥିବା ବେଳେ ଉଭୟ କୋଶଳୀ ଭାଷା ଏବଂ ଓଡ଼ିଆ ଭାଷାରେ ବିବୃତି ରଖି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଙ୍ଗତମାନଙ୍କ ସ୍ମୃତିଚାରଣ କରିଥିଲେ । ଏହାପରେ ସେମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ବାଚସ୍ପତି ଦିନକ ପାଇଁ ଗୃହର କାର୍ଯ୍ୟ ଆସନ୍ତାକାଲି ସାଢ଼େ ୧୦ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଆସନ୍ତା ଡିସେମ୍ବର 30 ଯାଏଁ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଏହି ଶୀତ ଅଧିବେଶନରେ 30ଟି କାର୍ଯ୍ୟଦିବସ ରହିଛି । ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭାର ନୂଆ ଉପ-ବାଚସ୍ପତି ନିର୍ବାଚିତ ହୋଇଛନ୍ତି ସାଲୁଗା ପ୍ରଧାନ । ନିଦ୍ୱନ୍ଦ୍ୱରେ ସାଲୁଗା ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।












Click it and Unblock the Notifications