ବସ୍ ରେ ପ୍ରଥମ ଯାତ୍ରୀ ହୋଇପାରିବେନି ମହିଳା ! କେବେ ଦୂର ହେବ ଏ କୁ ପ୍ରଥା...
ଯୁଗ ଯାଇ କେଉଁଠି ପହଞ୍ଚିଲାଣି । ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିବା ସହ ମହାକାଶ ଯାତ୍ରା କଲେଣି । ହେଲେ ଆମର ଏଠି ବସ୍ ରେ ମହିଳା ପ୍ରଥମେ ନ ଚଢିବା ନେଇ ଚାଲିଛି କୁ ପ୍ରଥା । ବସ୍ ଯାତ୍ରା ଆରମ୍ଭ କଲା ବେଳେ ପ୍ରଥମେ ମହିଳା ନ ଚଢିବା ନେଇ କୌଣସି ଧରାବନ୍ଧା ନିୟମ ନ ଥିଲେ ବି ଏହାକୁ ଅଲିଖିତ ନିୟମ ଭାବେ ମାନି ଆସୁଛନ୍ତି ବସ୍ କର୍ମଚାରୀ । ଏଭଳି କୁ ପ୍ରଥା ବନ୍ଦ କରିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ।

ନିକଟରେ ଭୁବନେଶ୍ୱର ବରମୁଣ୍ଡାରେ ଏଭଳି ଏକ ମାମଲା ସାମ୍ନାକୁ ଆସିବା ପରେ ଘାସିରାମ ପଣ୍ଡା ନାମକ ଜଣେ ସାମାଜିକ କର୍ମୀ ରାଜ୍ୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମିଶନ ତାଙ୍କ ପିଟିସନକୁ ଗ୍ରହଣ କରି ଏ ପ୍ରଥାକୁ ବନ୍ଦ କରିବାକୁ ପ୍ରଥମେ ପରିବହନ ବିଭାଗକୁ ଚିଠି କରିଥିଲେ । ବସରେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବାରଣ ପରି କୁତ୍ସିତ ପ୍ରଥା ଉଚ୍ଛେଦ ହେଉ, ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ସୁରକ୍ଷା ମିଳୁ, ସରକାରୀ ଓ ଘରୋଇ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ ବୋଲି ଚିଠିରେ ଲେଖିଛନ୍ତି ।
ରାଜ୍ୟରେ ପ୍ରଚଳିତ ଏ କୁତ୍ସିତ ପ୍ରଥାକୁ ବନ୍ଦ କରିବା ସହ ବସରେ ମହିଳାଙ୍କ ପାଇଁ ସିଟ୍ ସଂଖ୍ୟା 50 ପ୍ରତିଶତ ବଢାଇବା ଓ ମହିଳାଙ୍କ ପାଇଁ ଦିଆଯାଉଥିବା ସୁବିଧା ନେଇ ଆକସ୍ମିକ ଯାଞ୍ଚ କରିବେ ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ।












Click it and Unblock the Notifications