କମୁଛି ଶୀତ, କାୟା ମେଲାଉଛି ଘନ କୁହୁଡ଼ି
ଭୁବନେଶ୍ୱର: କମୁଛି ଶୀତ, ବଢୁଛି ରାତି ତାପମାତ୍ରା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଶୀତର ପ୍ରକୋପ କମୁଛି । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଫଳରେ ରାତିର ତାପମାତ୍ରା ସାମାନ୍ୟ ବଢିପାରେ ।

ଏହା ପରେ ଆଜି ଠାରୁ ଶୀତ କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହାସହ ପୂର୍ବାଳୀ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସକ୍ରିୟ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ଘନ କୁହୁଡି ପାଇଁ ଆଜି 20 ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା 50 ମିଟର କିମ୍ବା ତା'ଠାରୁ କମ୍ ହୋଇପାରେ । ଘନ କୁହୁଡି ସତର୍କତା ପରେ ପୋଲିସ ଓ ପରିବହନ ବିଭାଗକୁ ସତର୍କ କରାଇଛନ୍ତି ଏସଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସକାଳୁ ଘନ କୁହୁଡ଼ି ରହିବ । ଆଗାମୀ 7 ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ ଚାପ ରେଖା ସହ ଜଡ଼ିତ ବାୟୁ ଚଳାଚଳ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ଆକାଶ ଥିଲେ ବି, ବର୍ଷାର କୌଣସି ସମ୍ଭାବନା ନାହିଁ ବୋଲି କହିଛି ପାଣିପାଗ ବିଭାଗ












Click it and Unblock the Notifications