ଆହୁରି ଦୁଇ ଦିନ ସିଝିବ ଓଡ଼ିଶା, 3-5 ଡିଗ୍ରୀ ବଢିବ ତାପମାତ୍ରା, ଏହି ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ୱର: ତତଲା କଡ଼େଇରେ ସିଜୁଛି ସାରା ଓଡ଼ିଶା । ଅସହ୍ୟ ହୋଇ ପଡ଼ିଛି ଗରମ । ଏହି ଗ୍ରୀଷ୍ମ ପ୍ରବାହ ଆହୁରି 2 ଦିନ ଧରି ଲାଗି ରହିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ପୂର୍ବାନୁମାନ ଅନୁସାରେ ଆସନ୍ତା 2 ଦିନ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନର ତାପମାତ୍ରାରେ ବୃଦ୍ଧି ପାଇପାରେ । ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକ ଠାରୁ 3-5 ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ । ଅଂଶୁଘାତ ପ୍ରତି ସାବଧାନତା ଅବଲମ୍ବନ ସହ ଦିନ ସମୟରେ ଖରାରେ ବାହାରକୁ ଯିବା ବେଳେ ଲୋକଙ୍କୁ ପ୍ରାକ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ଆସନ୍ତା 24 ଘଣ୍ଟା ମଧ୍ୟରେ ଅର୍ଥାତ୍ ଗୁରୁବାର ଅପରାହ୍ନ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।
ଏଥିସହ ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications