ଆହୁରି 5 ଦିନ କଲବଲ କରିବ ତାତି, ସନ୍ଧ୍ୟାରେ ଆଶ୍ୱସ୍ତି ଦେବ କାଳ ବୈଶାଖୀ
ଭୁବନେଶ୍ୱର: ରାଜ୍ୟରେ ପାରଦ ଉପର ମୁହାଁ ହେବା ସହ ଅସହ୍ୟ ହୋଇପଡ଼ିଛି ତାତି । ପ୍ରଚଣ୍ଡ ଖରା ଓ ଗୁଳିଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଏପରିକି ଏପରି ସ୍ଥିତି ଆହୁରି 5 ଦିନ ଯାଏଁ ଲାଗି ରହିବ । ସାରା ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି ।
କିନ୍ତୁ ଦିନର ଖରା ତାତିରୁ ଅପରାହ୍ନରେ ସାମାନ୍ୟ ଆଶ୍ୱସ୍ତି ଦେବ କାଳ ବୈଶାଖୀ । ଘଡ଼ଘଡ଼ି ସହ ବର୍ଷା ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିବ ।

ଏପରିକି ଆସନ୍ତା 24 ଘଣ୍ଟା ମଧ୍ୟରେ 10 ଜିଲ୍ଲାରେ କାଳବୈଶାଖୀ ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ସହ ଝଡ଼ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।
ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ବଜ୍ରପାତ ସମୟରେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି ।
ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ରାତି ସମୟରେ ଅସହ୍ୟ ଗରମ ଅନୁଭୂତ ହେବାର ସମ୍ଭାବନା ରହିଛି । ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତର ଆଶଙ୍କା ରହିଥିବାରୁ ଦିନ 11 ଟାରୁ ଅପରାହ୍ନ 3 ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।












Click it and Unblock the Notifications