Weather Update: ମାଲକାନାଗିରି ସବୁଠାରୁ ଉତ୍ତପ୍ତ, ଆଗାମୀ ଦିନରେ ଆହୁରି ବଢିବ ତାତି
Weather Update: ରାଜ୍ୟରେ ପୁଣି ଫେରିଛି ଗ୍ରାଷ୍ମ ପ୍ରବାହ । ପାରଦ ଉପରମୁହାଁ ହେବା ସହ ବଢୁଛି ତାତି । ଏପରିକି କେତେକ ସହରରେ ତାପମାତ୍ରା 35 ଡିଗ୍ରୀ ଉପରେ ରହୁଛି ।
ଗତକାଲି (ଶୁକ୍ରବାର) ମାଲକାନଗିରିରେ ତାପମାତ୍ରା 37 ଡିଗ୍ରୀ ଛୁଇଁଛି । ସେହିପରି ଟିଟିଲାଗଡ଼, ଭବାନୀପାଟଣା, ବୌଦ୍ଧ ଓ ବଲାଙ୍ଗୀରରେ 35 ଡିଗ୍ରୀ ଉପରେ ରହିଛି ପାରଦ । ଏହା ସହ ଆଗକୁ ଆହୁରି ତାତି ବଢ଼ିବ । ତାପମାତ୍ରା 3-5 ଡିଗ୍ରୀ ବଢ଼ିପାରେ । ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି । ଖାଲି ଦିନ ନୁହେଁ, ରାତି ତାପମାତ୍ରା ବି 2-3 ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି ।

ଆଜି (ଶନିବାର) ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା 38 ଡିଗ୍ରୀ ଛୁଇଁପାରେ । ଏହା ପରେ 24 ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା 36 ଓ 37 ଡିଗ୍ରୀ ଉପରେ ରହିପାରେ । 25 ରେ ମାଲକାନଗିରି ଓ ଟିଟିଲାଗଡ଼ରେ ତାପମାତ୍ରା 39 ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ପାଣିପାଗ ବିଭାଗ ସୂଚନା ଅନସାରେ, ଆଗାମୀ 3 ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା 8-10 ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା 40 ଡିଗ୍ରୀ ଛୁଇଁପାରେ । ଏହା ପରେ ଆଗକୁ ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ହେବ ।
ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାକୁ ଥିବା ବେଳେ 25 ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛିକାଂଶରେ କାଳବୈଶାଖୀ ଜନିତ ସ୍ୱଳ୍ପ ବର୍ଷା ହୋଇପାରେ ।












Click it and Unblock the Notifications