ଜାନୁଆରୀରେ କମିବ ଶୀତ ! ରହିଛି ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମୁଛି ଶୀତ । କିଛି ଦିନ ଧରି ଶୀତ ଲାଗି ରହିଥିବା ବେଳେ ବର୍ତ୍ତମାନ ସାମାନ୍ୟ ଥଣ୍ଡା କମିଛି । କିନ୍ତୁ କୁହୁଡ଼ି କହର ଲାଗି ରହିଛି ।
ଜାନୁଆରୀରେ ଶୀତ କମିବ । ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ଅଧିକ ରହିବ । ଯାହାଫଳରେ ଥଣ୍ଡା କମିବ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍ଡି) ଜାନୁଆରୀ ମାସ ପାଇଁ କରିଥିବା ଆକଳନରୁ ଏହା ଜଣାପଡ଼ିଛି ।

ଆଇଏମ୍ଡି ଅନୁଯାୟୀ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ବେଶୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ପ୍ରାୟ ସମାନ ସ୍ଥିତି ରହିବ । ଏ ମାସରେ ରାଜ୍ୟରେ ଶୀତ ଲହରୀ ସ୍ଥିତି ଆଦୌ ରହିବନି । ସେହିଭଳି ଜାନୁଆରୀରେ ରାଜ୍ୟରେ ବର୍ଷା ସମ୍ଭାବନା ଅଛି ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି । ଉତ୍ତର ଭାରତର କିଛି ଅଂଶକୁ ଛାଡ଼ି ବାକି ଦେଶର ସବୁ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।
ସେପଟେ ଆସନ୍ତା 5 ଦିନରେ ରାଜ୍ୟରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ 2-3 ଡିଗ୍ରୀ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମଙ୍ଗଳବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ କୁହୁଡ଼ି ଦୃଶ୍ୟମାନ ହେବ । ସେହିଭଳି ବୁଧବାର ମଧ୍ୟ ଉପକୂଳ ଓଡ଼ିଶାରେ କୁହୁଡ଼ି ଦେଖାଯିବ ।
ସେପଟେ କୋରାପୁଟର ଲମତାପୁଟରେ ଥଣ୍ଡା କହର ଲାଗି ରହିଛି । 7 ଡିଗ୍ରୀ ତଳକୁ ରହୁଛି ପାରଦ । 3 ଦିନ ହେଲାଣି ଦିନ 12 ଟା ପର୍ଯ୍ୟନ୍ତ ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଦିନ 12 ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି l
ଦିନରେ 15-20 ଡିଗ୍ରୀ ତାପମାତ୍ରା ରହୁଥିବା ବେଳେ ରାତିରେ 7 ଡିଗ୍ରୀକୁ ତାପମାତ୍ରା ଖସିଆସୁଛି l ଶୀତ ସହ ଘନ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖିଛି l












Click it and Unblock the Notifications