Weather Update: ଏବେ ନାହିଁ ବର୍ଷା ! 5 ଦିନ ଧରି ବଢିବ ତାତି
Weather Update: ରାଜ୍ୟରେ ମୌସୁମୀଜନିତ ବର୍ଷା ପରେ ଏବେ ଶୁଖିଲା ରହିଛି ପାଗ । ରାଜ୍ୟର କୌଣସି ଜିଲ୍ଲାରେ ପ୍ରାୟତଃ ବର୍ଷା ନାହିଁ । ଏହା ସହ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ ।

ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ରେଖା ରକ୍ସୌଲ, ଡାଲଟନଗଞ୍ଜ, କାଙ୍କେର, ରାମଗୁଣ୍ଡମ, ବିଜାପୁର, ଭେଙ୍ଗୁର୍ଲା ଦେଇ ଗତି କରୁଛି । ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଉ କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିତି ଅନୁକୂଳ ରହିଛି । ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳ ସମେତ କର୍ଣ୍ଣାଟକର ଆଉ କିଛି ଅଂଶ ଏବଂ ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶରୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯିବ ।
ଏହା ସହ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି । ଓଡ଼ିଶାର ପ୍ରାୟ ଜିଲ୍ଲାରେ ପାଗ ଶୁଖିଲା ରହିଛି । ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ନାହିଁ । ରାଜ୍ୟ ମଧ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ମଧ୍ୟ ରହିଛି । ଫଳରେ ରାଜ୍ୟରେ ତିନି ଦିନ ହେବ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଲାଗି ରହିଛି । ଏପରି ସ୍ଥିତି ଆଗକୁ ଆହୁରି 5 ଦିନ ଲାଗିରହିବ । ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।
ଅକ୍ଟୋବର 16 ପର୍ଯ୍ୟନ୍ତ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ହେବ ନାହିଁ । ଆସନ୍ତା 5 ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଠାରୁ 2-3 ଡିଗ୍ରି ଅଧିକ ରହିବାର ସମ୍ଭାବନା ରହିଛି । ସନ୍ଧ୍ୟା/ରାତି ସମୟରେ ଆକାଶ ଆଂଶିକ ମେଘୁଆ ହୋଇପାରେ ।












Click it and Unblock the Notifications