ବଦଳିଲା ପାଣିପାଗ: କମିବ ତାପମାତ୍ରା, ପୁଣି ବଢିବ ଶୀତ
Weather Update: ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଓ କୋହଲା ପାଗରେ ପରିବର୍ତ୍ତନ ହୋଇଛି । ଗତକାଲି ଠାରୁ ବର୍ଷା ବନ୍ଦ ହେବା ସହ ଖରା ଦେଖିବାକୁ ମିଳିଛି । କିନ୍ତୁ ପ୍ରବଳ ଶୀତ ଅନୁଭୁତ ହେଉଛି । ଆଗାମୀ 3 ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡ଼ି ଦେଖିବାକୁ ମିଳିବ ।

ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଥଣ୍ଡା ଶୁଷ୍କ ପବନ ବହୁଛି । ଏହା ପ୍ରଭାବରେ ଆଗାମୀ ଦୁଇଦିନ ମଧ୍ୟରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ପ୍ରବଳ ଜାଡ ନେଇ ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ଝାରସୁଗୁଡାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ଘନ କୁହୁଡି ନେଇ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାକୁ ସତର୍କ କରାଇଛି ।
ଏହି ସବୁ ଅଞ୍ଚଳରେ ଶୁକ୍ରବାର ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଦୃଶ୍ୟମାନ ଦୂରତା 50-200 ମିଟର ରହିବାର ସମ୍ଭାବନା ଥିବାରୁ ଯାତାୟତରେ ବାଧା ଉପୁଜିବା ସମ୍ଭାବନା ରହିଛି । ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକମାନଙ୍କୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।
ଏହି ସମୟରେ ଲମତାପୁଟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହୋଇଛି । ଲମତାପୁଟରେ 9 ଡିଗ୍ରୀ ତଳେ ରହିଛି ପାରଦ । ଦିନ 11 ଟା ପର୍ଯ୍ୟନ୍ତ ଲମତାପୁଟ ଅଞ୍ଚଳରେ ଶୀତ ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଦିନ 11ଟା ପର୍ଯ୍ୟନ୍ତ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି । କୁହୁଡି ଏତେ ପରିମାଣର ରହିଛି ରାସ୍ତା ଘାଟ ଗାଡି ଚଳାଇବା ମୁସ୍କିଲ ହୋଇପଡିଛି । ଘନ କୁହୁଡି ପାଇଁ ଯାନ ବାହାନ ଯାତାୟତରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ପାଣିପାଗ ସୂଚନା ଅନୁଯାୟୀ 30 ତାରିଖ ପର୍ଯ୍ୟନ୍ତ ଏହିଭଳି ଶୀତ ଏବଂ କୁହୁଡି ଲାଗିରହିବ ।












Click it and Unblock the Notifications