ପୁଣି ଖସିଲା ପାରଦ, ଏହି ସ୍ଥାନରେ 6.7 ଡିଗ୍ରୀରେ ପହଞ୍ଚିଲା ତାପମାତ୍ରା, ଆଗକୁ ଅଛି ବର୍ଷା ସମ୍ଭାବନା
ଭୁବନେଶ୍ୱର: ପୁଣି ଖସିଲା ପାରଦ । କିଛି ଦିନର ବ୍ୟବଧାନ ପରେ ସାରା ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ପୁଣି ହ୍ରାସ ପାଇଛି । ଶୀତ ଲହରି ଜାରି ରହିଥିବା ବେଳେ କୁହୁଡି ଜୀବନ ଯାପନକୁ ଅସ୍ତବ୍ୟସ୍ତ କରିଦେଲାଣି ।
ଗତକାଲି ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ ତାପମାତ୍ରା 6.7 ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଝାରସୁଗୁଡ଼ାରେ 9.1, ସୁନ୍ଦରଗଡ଼ରେ 9.2, ରାଉରକେଲାରେ 9.9, ଜି ଉଦୟଗିରିରେ 10.4, କୋରାପୁଟରେ 11.2, କେନ୍ଦୁଝରରେ 11.5 ଡିଗ୍ରୀ ରହିଛି ରାତିର ତାପମାତ୍ରା । ଉପକୂଳ ଓଡ଼ିଶାର ତାପମାତ୍ରାରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ହୋଇଛି ।

ତେବେ ଆସନ୍ତା ତିନି ଦିନ ପରେ ତାପମାତ୍ରାରେ କିଛି ପରିବର୍ତ୍ତନ ହୋଇପାରେ । 2-4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆସନ୍ତାକାଲି ଓ ସୋମବାର ଦିନ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । 11 ତାରିଖରେ 13 ଟି ଜିଲ୍ଲା ଓ 12 ତାରିଖରେ 9 ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
11 ତାରିଖରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୋନପୁର, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି । ସେହିଭଳି 12 ରେ ଢେଙ୍କାନାଳ, କଟକ, ବୌଦ୍ଧ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଂଜ ଓ କେନ୍ଦ୍ରାପଡାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications