ଖସୁଛି ପାରଦ, 11 ଡିଗ୍ରୀରେ ପହଞ୍ଚିଲା ଜ ଉଦୟଗିରି ତାପମାତ୍ରା, 20 ଡିଗ୍ରୀ ତଳେ 23 ଜିଲ୍ଲା
Weather Update: ରାଜ୍ୟରେ ବଢିବାରେ ଲାଗିଛି ଶୀତ । ଧିରେ ଧିରେ ଖସିବାରେ ଲାଗିଛି ପାରଦ, କମୁଛି ତାପମାତ୍ରା । ଏପରିକି କେତେକ ଜିଲ୍ଲାରେ ତାପମାତ୍ରା 20 ଡିଗ୍ରୀ ତଳକୁ ଖସିଛି । ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଚଳିତ ଅକ୍ଟୋବରର ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀକୁ ଖସିଛି ।

ସୋମବାର ରାଜ୍ୟର 23 ଟି ଜିଲ୍ଲାରେ ତାପମାତ୍ରା 20 ଡିଗ୍ରୀ ତଳେ ରହିଛି । ଏପରିକି କନ୍ଧମାଳ ଜିଲ୍ଲାରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀ ରେକର୍ଡ ହୋଇଛି । ଏହା ସହ ଦାରିଙ୍ଗବାଡ଼ିରେ 13 ଡିଗ୍ରୀ, କୋରାପୁଟରେ 13.2, ଫୁଲବାଣୀରେ 13.5, କିରେଇରେ 14.8, ଭବାନୀପାଟଣାରେ 15.5, ଅନୁଗୁଳରେ 16 ଓ କେନ୍ଦୁଝରରେ 16.8 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଏହି ସମୟରେ ଆସନ୍ତାକାଲି (ବୁଧବାର) ଠାରୁ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ରହିଛି । ବଙ୍ଗୋପସାଗରରୁ ପୂର୍ବାଳୀ ତରଙ୍ଗ ପ୍ରଭାବରେ ବର୍ଷା ହୋଇପାରେ । ପ୍ରଥମ ଦୁଇ ଦିନ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାକୁ ଥିବା ବେଳେ 3 ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ ।
ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ 1 ତାରିଖରେ ହାଲୁକା ବର୍ଷା ହୋଇପାରେ । ସେହିପରି 2 ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । 3 ତାରିଖ ଦିନ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲ୍ଲାର କେତେକାଂଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଫଳରେ ରାଜ୍ୟରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରାଯାଉଛି ।












Click it and Unblock the Notifications