ରାଜ୍ୟରେ କୋହଲା ପାଗକୁ ଝିପିଝିପି ବର୍ଷା, 29 ଯାଏଁ ରହିବ ଏମିତି ପାଗ
Weather Update: କିଛି ଦିନର ତାତି ପରେ ଏବେ ରାଜ୍ୟରେ ରହିଛି କୋହଲା ପାଗ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଚାରିଆଡ଼େ କୋହଲା ପାଗ । କେତେକ ସ୍ଥାନରେ ଝିପିଝିପି ବର୍ଷା ମଧ୍ୟ ହୋଇଛି । ଏପରିକି ଆସନ୍ତା 29 ତାରିଖ ଯାଏଁ ଏଭଳି ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା ବାୟୁ ପ୍ରବାହ ସାଙ୍ଗକୁ ନିମ୍ନ ଚାପରେଖା ସକ୍ରିୟ ରହିଛି । ଦୁଇଟି ନିମ୍ନଚାପରେଖା ପ୍ରଭାବରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି ଉପକୂଳ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ବର୍ଷା ପ୍ରଭାବରେ ତାତି କମିବା ସହ ସ୍ୱାଭାବିକ ଠାରୁ 7-8 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ ।
ରବିବାର ଦକ୍ଷିଣ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଜିଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିଲା । ବାଣପୁରରେ 105 ମି.ମି, ବେଲଗୁଣ୍ଠାରେ 96.6 ମି.ମି., ଚିଲିକାରେ 54 ମି.ମି., ବୁଗୁଡ଼ାରେ 48 ମି.ମି., ଭଞ୍ଜନଗରରେ 38 ମି.ମି., ଦାରିଙ୍ଗବାଡ଼ିରେ 20 ମି.ମି., ଧାନକୁଦ(ସମ୍ବଲପୁର) 18.2 ମି.ମି, ବଲାଙ୍ଗୀରରେ 15 ମି.ମି. ଓ ଭୁବନେଶ୍ବରରେ 9.7 ମି.ମି. ବର୍ଷା ରେକର୍ଡ଼ ହୋଇଛି । ବର୍ଷା ପ୍ରଭାବରେ ରାଜ୍ୟରେ ଉଭୟ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । କୋରାପୁଟରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା 14.4 ଡିଗ୍ରୀ ରେକର୍ଡ଼ ହୋଇଛି ।












Click it and Unblock the Notifications