ବର୍ଷାରୁ ଏବେ ମିଳିବନି ନିସ୍ତାର, 13 ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଭୁବନେଶ୍ୱର : ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ମୌସୁମୀ ଏବଂ ଲଘୁଚାପ ଫଳରେ ପ୍ରବଳ ବର୍ଷା ଲାଗି ରହିଛି । ଗତକାଲି ଦିନ ତମାମ ବର୍ଷା ଲାଗି ରହିଥିବା ବେଳେ ଆଉ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ନିକଟ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଏବେ ସକ୍ରିୟ ରହିଛି । ଆଗାମୀ ଦୁଇଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଉତ୍ତର ଓଡିଶା-ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ 13 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି 13 ଜିଲ୍ଲାରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳ ରହିଛି । ଦେବଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ଝାରସୁଗୁଡା, ବରଗଡ, ନୂଆପଡ଼ା, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଏବଂ କନ୍ଧମାଳକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ଗତ 24 ଘଣ୍ଟାରେ 27.3 ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା 9 ମିମି ତୁଳନାରେ 205 % ଅଧିକ । ସେହିଭଳି ସକ୍ରିୟ ଲଘୁଚାପ ପ୍ରଭାବରେ ସକାଳ 8.30 ରୁ 5.30 ପର୍ଯ୍ୟନ୍ତ ଅନୁଗୁଳଠାରେ ସର୍ବାଧିକ 152 ମିମି ବର୍ଷା ହୋଇଛି ।
27 ତାରିଖ ଦିନ ମଧ୍ୟ ରାଜ୍ୟର କିଛି ସ୍ଥାନ ଯଥା ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications