ଏଥର ଅଧିକ ଦିନ ରହିବ ଗ୍ରୀଷ୍ମ ପ୍ରବାହ, ମାର୍ଚ୍ଚରୁ କଲବଲ କରିବ ତାତି
ଭୁବନେଶ୍ୱର: ଏଥର ହେବ ପ୍ରଚଣ୍ଡ ଖରା । ଗ୍ରୀଷ୍ମ ପ୍ରବାହ ଫଳରେ ହନ୍ତସନ୍ତ ହେବେ ଲୋକ । ଉପରମୁହାଁ ହେବ ପାରଦ । ଅଧିକାଂଶ ସମୟରେ ହିଟୱେଭ୍ ଜାରି ରହିବ । ଉପାନ୍ତରୁ ଉପକୂଳ ସବୁଠି କଲବଲ କରିବ ତାତି ।
ଚଳିତବର୍ଷ ମାର୍ଚ୍ଚରୁ ମେ' ପର୍ଯ୍ୟନ୍ତ ପ୍ରବଳ ତାତି ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ସ୍ପଷ୍ଟ କରିଛି । ପୂର୍ବାନୁମାନ ଅନୁସାରେ ଏଥର ତିନିମାସ ପ୍ରବଳ ଗ୍ରୀଷ୍ମ ରହିବ । ଯାହାର ପ୍ରଭାବ ଫେବୃୟାରୀ ଶେଷ ସପ୍ତାହରୁ ଜଳ ଜଳ ହୋଇ ଦିଶିଲାଣି । ସକାଳ ହେବା ମାତ୍ରେ ଖରା ମାଡ଼ିଆସୁଛି । ଅପରାହ୍ନ ଯାଏ ଗ୍ରୀଷ୍ମର ପ୍ରକୋପ ଜାରି ରହୁଛି ।

ଫେବୃୟାରୀରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ଭାବେ 35 ଡିଗ୍ରୀ ମଧ୍ୟରେ ରହିଥାଏ । ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ଫେବୃୟାରୀ 28 ରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା 36.6 ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି । ଏହା ପରେ ମାର୍ଚ୍ଚ ଆରମ୍ଭରୁ ଗ୍ରୀଷ୍ମର ପ୍ରକୋପ ଆହୁରି ବଢ଼ିଯାଇଛି । ଶୁକ୍ରବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ରେକର୍ଡ ଅନୁଯାୟୀ ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା 37.4 ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ଆସନ୍ତା 6 ତାରିଖ ଯାଏଁ ପାଗରେ ବିଶେଷ କିଛି ପରିବର୍ତ୍ତନର ସୂଚନା ନାହିଁ ।
ଏହା ପରେ ମାର୍ଚ୍ଚ 7ରୁ ପାରଦ ଉପରମୁହାଁ ହେବ । ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ଛୁଇଁବ । 15 ରିଖରୁ ଆହୁରି ଅସହ୍ୟ ହେବ ତାତି । ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀକୁ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି। ଏପ୍ରିଲ ଓ ମେ' ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ସମଗ୍ର ରାଜ୍ୟକୁ ଉତ୍ତପ୍ତ କରି ରଖିବ। ଏହି ୨ ମାସରେ ତାପମାତ୍ରା ୪୦ରୁ ୪୫ ଡିଗ୍ରୀକୁ ଛୁଇଁବା ସମ୍ଭାବନା ରହିଛି । କେତେକ ସ୍ଥାନରେ ଏହା ଉପରକୁ ଯାଇପାରେ ବୋଲି ପାଣିପାଗ ବିଶାରଦ ଅନୁମାନ କଲେଣି ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଲ୍-ନିନୋ ପ୍ରଭାବ ଗ୍ରୀଷ୍ମ ପ୍ରବାହକୁ ବଢାଇବ । ଏଲ୍-ନିନୋ ଯୋଗୁଁ ସମୁଦ୍ର ବି ଉତ୍ତପ୍ତ ରହିବ । ପରିଣାମ-କାଳବୈଶାଖୀ କମିଯିବ । କାଳବୈଶାଖୀ ବିନା ତାତି ପ୍ରକୋପରୁ ନିସ୍ତାର ମିଳିବା ସମ୍ଭାବନା କମ୍ । ଗ୍ରୀଷ୍ମ ଅବଧି ମାର୍ଚ୍ଚରୁ କଲବଲ କରିପାରେ । ମାର୍ଚ୍ଚ 22 ତାରିଖରୁ ଭୀଷଣ ଗରମ ଅନୁଭୂତ ହେବ ।
ଆଇଏମଡି ପୂର୍ବାନୁମାନ ଚିତ୍ରରୁ ଅନୁମାନ କରାଯାଉଛି, ଏ ବର୍ଷ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ଦିନ ସଂଖ୍ୟା ସ୍ୱାଭାବିକଠାରୁ ଅଧିକ ରହିବ । ସାଧାରଣତଃ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା 11 ଭିତରେ ରହିବା କଥା । ଗତବର୍ଷ ଗ୍ରୀଷ୍ମ ଲହରୀ ସଂଖ୍ୟା ଦୁଇ ଗୁଣ ବଢ଼ି ଯାଇଥିଲା । ଯେଉଁଥିପାଇଁ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହରେ କଲବଲ ହୋଇଥିଲେ ରାଜ୍ୟବାସୀ । ଏଥର ବି ଗ୍ରୀଷ୍ମ ଲହରୀ ଦିନ ସଂଖ୍ୟା 13 ରୁ 15 ପର୍ଯ୍ୟନ୍ତ ଛୁଇଁପାରେ, ଏପରିକି ଏହା ବଢ଼ିବାର ଆଶଙ୍କା ମଧ୍ୟ ରହିଛି ।
ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକରେ ସ୍ବାଭାବିକ ଦିନ ଠାରୁ ଅଧିକ ଦିନ ହିଟ୍ଓ୍ବେଭ୍ ଲାଗି ରହିବ ବୋଲି କହିଛନ୍ତି ଆଇଏମଡି ଡିଜି । ଯେଉଁ ରାଜ୍ୟରେ କମ୍ ତାତି ରହିବ ସେ ରାଜ୍ୟକୁ ଗ୍ରୀନ୍ ଏବଂ ବ୍ଳୁ ମାର୍କରେ ମାର୍କିଂ କରାଯାଇଛି । ତେବେ ଓଡ଼ିଶାକୁ କେବଳ ରେଡ୍ ଏବଂ ଅରେଞ୍ଜ ମାର୍କରେ ରଖାଯାଇଛି । ମାର୍ଚ୍ଚ ମାସରୁ ହିଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ । ବିଗତବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି । ଏପ୍ରିଲ ଏବଂ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ।












Click it and Unblock the Notifications