ସରିନି ଶୀତ ବଢିଲାଣି ତାତି, ଫେବୃଆରୀ ଆରମ୍ଭରୁ କଲବଲ କଲାଣି ଖରା
Weather Update Odisha: ଆରମ୍ଭ ହେଉଛି ଫେବୃଆରୀ । ଏବେ ଠୁ କଲବଲ କଲାଣି ଖରା । ମାଘ ମାସରେ ଜାଡ଼ ବଦଳରେ ଉପରମୁହାଁ ହେଲାଣି ପାରଦ । ଏମିତି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା 30 ପାର୍ ହେଲାଣି । ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ 2-5 ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ 3-7 ଡିଗ୍ରୀ ଅଧିକ ରେକର୍ଡ ହୋଇଛି ।

ଫେବୃଆରୀ ଆରମ୍ଭରୁ ହଠାତ୍ ଗରମ ଅନୁଭୂତ ହେଲାଣି । ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଏହିପରି ତାପମାତ୍ରା ଆସନ୍ତା 3 ଦିନ ଯାଏଁ ଜାରି ରହିବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଏଲନିନୋର ପ୍ରଭାବ ଏବଂ ସ୍ଥାନୀୟ ଜଳବାୟୁରେ ପରିବର୍ତ୍ତନ ଏହାର କାରଣ ବୋଲି ମତ ରଖିଛନ୍ତି ପାଣିପାଗ ବିଜ୍ଞାନୀ । ଗତକାଲି ରାଜ୍ୟର 13 ଟି ସହରରେ ସର୍ବାଧିକ ତାପମାତ୍ରା 33 ଡିଗ୍ରୀ ଉପରେ ରହିଥିଲା ।
ପାରଳାଖେମୁଣ୍ଡି, ଭବାନୀପାଟଣାରେ ଦିନର ସର୍ବୋଚ୍ଚ ତାପମାତ୍ରା 35 ଡିଗ୍ରୀ ଛୁଇଁଛି । ସେହିପରି ଟିଟିଲାଗଡ଼, ମାଲକାନଗିରି ତାପମାତ୍ରା 34.5 ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱର ତାପମାତ୍ରା ବି 34 ପରେ ରହିଛି । ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଆସନ୍ତା 11 ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।
ଆସନ୍ତା 9 ଓ 10 ତାରିଖରୁ ଗରମ କମିବା ସହ ପାଗ ବଦଳିବା ସମ୍ଭାବନା ଅଛି । ଓଡ଼ିଶା ଓ ଆନ୍ଧ୍ର ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଗୁରୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ପବନ ପ୍ରବାହ ବଢ଼ିବ । ଜଳୀୟବାଷ୍ପ ଆସିବ ଓ ପାଗ କୁହୁଡ଼ିଆ ରହିପାରେ ।












Click it and Unblock the Notifications